ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ଲାଗି ପ୍ରତାପ ଜେନାଙ୍କ ନିର୍ଦ୍ଦେଶ

କରୋନା ପାଇଁ ଅଟକିଥିବା ପାନୀୟଜଳ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଆରମ୍ଭ କରିବାପାଇଁ ପଞ୍ଜାୟତିରାଜ ଓ  ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପାନୀୟଜଳ ପ୍ରକଳ୍ପ ସଂକ୍ରାନ୍ତରେ  ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ଜେନା ଆଜି ଏହି ନିର୍ଦ୍ଦେଶ ଦେବା ସହିତ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୨୦ହଜାର  ଟଙ୍କା ଏ ବାବଦରେ ଖର୍ଚ୍ଚହେବ ବୋଲି ସୂଚନା ଦେଇଛନ୍ତି । ଆଜି ଲୋକସେବା ଭବନ ଠାରେ ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି  ଯେ ୬୬ଟି ମେଗା ପ୍ରକଳ୍ପ ଓ ୬୦୦୦ ପାଇପ୍‍ ଯୋଗେ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ତେବେ କରୋନା  ଯୋଗୁଁ ପ୍ରାୟ ଅଢେଇ ମାସ ଧରି କାର୍ଯ୍ୟ ବନ୍ଦ ରହିଥିଲା । ପ୍ରତ୍ୟେକ ପରିବାର ନିକଟରେ ପାଇପ୍‍ ଯୋଗେ ପାନୀୟଜଳ  ପହଞ୍ଚାଇବା ରାଜ୍ୟ ସରକାରଙ୍କର ମୁଖ୍ୟ ଲକ୍ଷ୍ୟ ଥିବାରୁ ଖୁବ୍‍ ଶୀଘ୍ର କାର୍ଯ୍ୟ ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଛି । କାର୍ଯ୍ୟକାରୀ  ହେଉଥିବା ୬୬ଟି ମେଗା ପ୍ରକଳ୍ପ ଲାଗି ୧୩,୧୮୦କୋଟି ୯୬ଲକ୍ଷ ଟଙ୍କାର ବରାଦ ହୋଇଛି । ଏଥିପାଇଁ ଚତୁର୍ଥ ରାଜ୍ୟ  ଅର୍ଥ କମିଶନଙ୍କ ଅନୁଦାନ ସହିତ ଓମ୍ବାଡକ, ଆରଆଇଡିଏଫ୍‍, ଜେଜେଏମ୍‍, ବସୁଧା, ଜିଲ୍ଲା ଖଣିଜ ପାଣ୍ଠି ଆଦିରୁ ଅର୍ଥ ପ୍ରଦାନ  କରାଯିବ । ତେବେ ସର୍ବାଧିକ ୧୯ଟି ପ୍ରକଳ୍ପ ଓମ୍ବାଡକ ମାଧ୍ୟମରେ ହେଉଥିବାବେଳେ ଏଥିପାଇଁ ୨୬୭୪କୋଟି ୭୬ଲକ୍ଷ  ଟଙ୍କାର ବ୍ୟୟ ବରାଦ ହୋଇଛି । ସେହିଭଳି ବସୁଧା ଯୋଜନାରେ ୧୬ଟି ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ  ଏଥିପାଇଁ ୩୨୫୭କୋଟି ୬୧ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି । ଚତୁର୍ଥ ରାଜ୍ୟ ଅର୍ଥ କମିଶନଙ୍କ ପ୍ରଦତ୍ତ ଅର୍ଥରେ ୭ଟି  ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ ଆରଆଇଡିଏଫ ଓ ଜେେଜେଏମ୍‍ ମାଧ୍ୟମରେ ୮ଟି କରି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି  ।  ଜିଲ୍ଲା ଖଣିଜ ପାଣ୍ଠିର ୧୫୫୩ କୋଟି ୨ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏହାବାଦ୍‍  ୩୫୯୭କୋଟି ୪୮ଲକ୍ଷ ଟଙ୍କା ବ୍ୟୟରେ ଆଉ ୨୧ଟି ମେଗା ପ୍ରକଳ୍ପ ଲାଗି ଟେଣ୍ଡର ଜାରି ହେବ । ଏଥି ମଧ୍ୟରୁ ବସୁଧା  ଯୋଜନାରେ ସର୍ବାଧିକ ୧୧ଟି ପ୍ରକଳ୍ପ ରହିଥିବାବେଳେ ଆରଆଇଡିଏଫ୍‍ରେ ୮ଟି ଓ ଜେଜେଏମ୍‍ରେ ଜରିଆରେ ଦୁଇଟି  ପ୍ରକଳ୍ପ କାର୍ଯ୍ୟପାଇଁ ଟେଣ୍ଡର ଜାରି କରାଯିବ ।

ସେହିଭଳି ୫୮୬୧ଟି ପାଇପ୍‍ ଯୋଗେ ପାନୀୟଜଳ ପ୍ରକଳ୍ପ ପାଇଁ ୨୪,୨୪୪କୋଟି ୬୩ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ।  ଏଥି ମଧ୍ୟରୁ ୫୭୭୪ଟି ଗ୍ରାମ ପାଇଁ ୭୪୨୮କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଆଜି ସୁଦ୍ଧା ୨୧୩୯ ଛୋଟ  ପ୍ରକଳ୍ପ ୧୮୩୯ କୋଟି ୩୧ ଲକ୍ଷ ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି । ବୈଠକରେ ପାନୀୟଜଳ ଯୋଗାଣ ନିର୍ଦ୍ଦେଶକ  ବି.ପରମେଶ୍ୱରନ, ସର୍ବୋଚ୍ଚ ଯନ୍ତ୍ରୀ ଅଭୟ ବିଶ୍ୱାଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
Spread the love