୪.୫ କୋଟି ଓଡିଶାବାସୀ ଏବଂ ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଭକ୍ତି ଓ ଭାବର ଉତ୍ସବ ରଥଯାତ୍ରାର ଦ୍ୱନ୍ଦ୍ୱ ଦୂର କରନ୍ତୁ ରାଜ୍ୟସରକାର :ବିଜେପି

ରଥଯାତ୍ରା ମହାପ୍ରଭୃ ଶ୍ରୀ ଜଗନ୍ନାଥଙ୍କର ଶତାଦ୍ଦି ଶତାଦ୍ଦିର ଏକ ପରମ୍ପରା । ଓଡିଶାର ଜନତା ଏବଂ ସାରା  ବିଶ୍ୱର ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହିତ ରଥଯାତ୍ରା ଅନାଦି କାଳରୁ ରହି ଆସିଛି । ସମଗ୍ର ବିଶ୍ୱରେ ରଥଯାତ୍ରା ପାଳନ କରାଯାଉଛି ଯାହାର ପ୍ରମୁଖ କେନ୍ଦ୍ର ପୁରୀ ଜଗନ୍ନାଥ ଧାମ । ଚଳିତ ବର୍ଷ ରଥଯାତ୍ରାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଏହା ପଛରେ ରାଜ୍ୟ  ସରକାରଙ୍କ ନୀରବତା ଏକ ପ୍ରମୁଖ କାରଣ । ପୁରୀରେ ଜଗନ୍ନାଥ ମହାପ୍ରଭୃଙ୍କ ରଥଯାତ୍ରା ହେବ କି ନାହିଁ ତାହାର ଏକ ସ୍ପଷ୍ଟ ଚିତ୍ର ମୁଖ୍ୟମନ୍ତ୍ରୀ  ଜନସାଧାରଣଙ୍କୁ ଜଣାନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦାବି କରିଛନ୍ତି ।

ରଥ ନିର୍ମାଣ ହେବ କି ନାହିଁ ସେଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଥିଲେ ରାଜ୍ୟସରକାର । କେନ୍ଦ୍ର ସରକାର ୨୪ ଘଂଟା  ଭିତରେ ନିଷ୍ପତି ଜଣାଇଲେ ଏବଂ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ସହମତି ଦେଇଥିଲେ । ରଥ ନିର୍ମାଣ ଏହା ପରେ ଆରମ୍ଭ ହୋଇଥିଲା । କିନ୍ତୁ  ଏବେ ରାଜ୍ୟରେ ରଥଯାତ୍ରା ହେବ କି ନାହିଁ ସେ ନିଷ୍ପତି ନେବା ପାଇଁ ରାଜ୍ୟ ସରକାର କାହିଁକି ବିଳମ୍ବ କରୁଛନ୍ତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ  କରିଛନ୍ତି ।  ନିକଟରେ ପୁରୀରେ ମହାପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ନେଇ ଜଣେ ବ୍ୟକ୍ତି ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ପ୍ରୟୋଜିତ ଭାବେ ଜନସ୍ୱାର୍ଥ ମାମଲା ଦାଏର କରି କରୋନା ମହାମାରୀ ପରିପ୍ରେକ୍ଷୀରେ ମହାପ୍ରଭୃ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ ।  ମାତ୍ର ଏ ସଂପର୍କିତ ଶୁଣାଣି କରି ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଦାୟୀତ୍ୱ ନ୍ୟସ୍ତ କରିଛନ୍ତି । କରୋନା ମୁକାବିଲା ନେଇ ଥିବା  ବିଭିନ୍ନ ନିୟମାବଳୀକୁ ଦେଖି ରାଜ୍ୟସରକାର ନିଷ୍ପତି ନେବେ ବୋଲି ହାଇକୋର୍ଟ କହିଛନ୍ତି । ଏପରି ପରିସ୍ଥିତିରେ ରାଜ୍ୟସରକାର ତୁରନ୍ତ ନିଜ  ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।ସ୍ନାନ ପୂର୍ଣ୍ଣିମା ସୁଦ୍ଧା ଋଥଯାତ୍ରାକୁ ନେଇ ପୂର୍ବ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟୟରେ ଥାଏ । ରଥଯାତ୍ରା ପୂର୍ବରୁ ଆରଡିସି, ଆଇନମନ୍ତ୍ରୀଙ୍କ ସ୍ତରରେ  ସମୀକ୍ଷା ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସବୁ ବିଭାଗ ଗୁଡିକର ବୈଠକ ଅନୁଷ୍ଠିତ ହୋଇ ପ୍ରସ୍ତୁତିର ଚୂଡାନ୍ତ ରୂପରେଖ ତିଆରି ହୁଏ । ସବୁ  ବିଭାଗର ମିଳିତ ସମନ୍ୱୟ ବୈଠକ ବାରମ୍ବାର ହେବା ସହ ବିଭିନ୍ନ ବିଭାଗ ପ୍ରସ୍ତୁତି ବୈଠକ ନିଜ ନିଜ ସ୍ତରରେ କରିଥାନ୍ତି । କିନ୍ତୁ ଏଯାବତ  ସରକାର କୌଣସି ପ୍ରସ୍ତୁତି ବୈଠକ କରିନାହାଁନ୍ତି । ଜଗନ୍ନାଥ ବିଶେଷଜ୍ଞମାନେ କହୁଛନ୍ତି କି, ଯଦି ଚଳିତ ବର୍ଷ ରଥଯାତ୍ରା ନହୁଏ ତେବେ ଗୋଟିଏ  ବର୍ଷ ଧରି ପ୍ରଭୃ ଜଗନ୍ନାଥ ଅଣସର ଘରେ ରହିବେ । ଏଥିପାଇଁ ସାଧାରଣ ଜନତାଙ୍କ ମନରେ ଅନେକ ଆଶା ଓ ଆଶଙ୍କା ଭରି ରହିଛି ବୋଲି ଶ୍ରୀ  ହରିଚନ୍ଦନ କହିଛନ୍ତି ।

କେନ୍ଦ୍ର ସରକାର ଦେଶର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ଅମୁମତି ଦେଇଛନ୍ତି । ମାତ୍ର ରାଜ୍ୟସରକାର ଚଳିତମାସ ଶେଷ  ପର୍ଯ୍ୟନ୍ତ ଧର୍ମିକ ଅନୁଷ୍ଠାନ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଛନ୍ତି । ରାଜ୍ୟରେ ପ୍ରତ୍ନତ୍ୱାତିକ ସଂସ୍ଥା (ଏଏସଆଇ)ଦ୍ୱାରା ପରିଚାଳିତ ମନ୍ଦିର ଗୁଡିକ ମଧ୍ୟ  ରାଜ୍ୟସରକାର ବନ୍ଦ କରିଛନ୍ତି । ଅନ୍ୟ ରାଜ୍ୟମାନଙ୍କରେ ମନ୍ଦିର ଖୋଲିଥିବା ବେଳେ ରାଜ୍ୟ ସରକାର ଚାହିଁଥିଲେ ସାମାଜିକ ଦୂରତାକୁ ବଜାୟ ରଖି  ବିଭିନ୍ନ ଧର୍ମାନୁଷ୍ଠାନ ଖୋଲି ପାରିଥାନ୍ତେ । ହେଲେ ସେପରି କଲେ ନାହିଁ । ସେହିପରି ବନ୍ଦେ ଉତ୍କଳ ଜନନୀ ଗାନ କରି କୋଭିଡ ଯୋଦ୍ଧାଙ୍କୁ
ସମ୍ମାନିତ କରିବା ପାଇଁ ପୁରୀ ବଡ ଦାଣ୍ଡରେ ହଜାର ହଜାର ଲୋକଙ୍କୁ ନେଇ ଆୟୋଜନ କରାଯାଇଥିଲା । ଲୋକସେବା ଭବନ, ବିଭିନ୍ନ ସ୍ଥାନରେ  ସରକାରୀ କର୍ମଚାରୀ ଓ ପୋଲିସ ବାହିନୀ ବହୁ ସଂଖ୍ୟାରେ ଏକାଠୀ ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କଲେ । ଏହି ସବୁ ସ୍ଥାନରେ ସାମାଜିକ  ଦୂରତାକୁ ମାନି ଯେପରି କାର୍ଯ୍ୟକ୍ରମ କରାଗଲା ଠିକ୍ ସେମିତି ନୀତି ନିୟମ ମାନି ମହାପ୍ରଭୃଙ୍କର ରଥଯାତ୍ରା ମଧ୍ୟ ଆୟୋଜନ କରାଯାଇ ପାରିବ  ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

Spread the love