ନିଜ ପିଠି ଥାପୁଡାଇବା ବନ୍ଦ କରି ଦୈନିକ ୧୫ ହଜାର ଟେଷ୍ଟ କରାନ୍ତୁ ରାଜ୍ୟ ସରକାର : ଗୋଲକ ମହାପାତ୍ର

କରୋନା ରୋଗୀମାନଙ୍କ ପାଖକୁ ଯାଉଥିବା ଆଶା ଓ ଏଏନଏମ ଦିଦିଙ୍କୁ ପିପିଇ କିଟ୍ ଓ ଅନ୍ୟାନ୍ୟ ସୁରକ୍ଷା  ସାମଗ୍ରୀ ଯୋଗାଇ ଦିଆଯାଉ ।
ରାଜ୍ୟ ସରକାର କ୍ୱାରେଂଟାଇନ ସେଂଟରେ ଥିବା ଲୋକମାନଙ୍କର ନିୟମିତ ଟେଷ୍ଟ କରନ୍ତୁ।
 କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନଙ୍କର ମଧ୍ୟ ଟେଷ୍ଟ କରି ନେଗେଟିଭ ଆସିବା ପରେ ଘରକୁ ପଠାନ୍ତୁ।
 ଅତ୍ୟାବଶକୀୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀ ମାନଙ୍କର କରୋନା ପରୀକ୍ଷା କରାଯାଉ ।

ଭୁବନେଶ୍ୱର,ତା ୧୬/୦୬: ରାଜ୍ୟରେ କରୋନାର ସ୍ଥିତି ଜଟିଳ ହେବାରେ ଲାଗିଛି । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ  ସଂଖ୍ୟା ବୃଦ୍ଧି ପାଉଛି । ଏହା ସତ୍ୱେ ବି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ମାଧ୍ୟମରେ ଦେଇଥିବା ନିର୍ଦ୍ଦେଶକୁ କେହି ବି ସରକାରୀ  ଅଧିକାରୀ ପାଳନ କରୁନାହାଁନ୍ତି । ପ୍ରତ୍ୟେକ ଦିନ ୧୫ ହଜାର ଟେଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଏହା  ହୋଇ ପାରିଲା ନାହିଁ । ସରକାରୀ ଅଧିକାରୀ ମାନେ ଏ ଦିଗରେ ଧ୍ୟାନ ନଦେଇ କେବଳ ପ୍ରେସ କନଫରେନ୍ସ କରି ନିଜ ପିଠି ନିଜେ
ଥାପୁଡାଉଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ।

ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ପ୍ରତିଦିନ ୧୫ ହଜାରରୁ ଉର୍ଦ୍ଧ୍ୱ ଟେଷ୍ଟ କରୁଛି । ଆଜି ସୁଦ୍ଧା ଆନ୍ଧ୍ର ପ୍ରଦେଶ ୫ ଲକ୍ଷ ୬୭
ହଜାର ଟେଷ୍ଟ କରିଥିବାବେଳେ ଓଡିଶାରେ ୨ ଲକ୍ଷ ୫ ହଜାର ୫୦୧ ଟେଷ୍ଟ ହୋଇଛି । ଏହା ମଧ୍ୟରୁ ୪୧୬୩ ପଜିଟିଭ
ବାହାରିଥିବାବେଳେ ୧୨୯୫ଟି ଆକ୍ଟିଭ କେସ ରହିଛି । ରାଜ୍ୟରେ ଦୈନିକ ହାରାହାରି ପରୀକ୍ଷା ହାର ଆଦୌ ଉତ୍ସାହଜନକ ନୁହେଁ ।
ଜୁନ୍ ୭ ରେ ୩୪୭୭, ଜୁନ୍ ୮ ରେ ୩୩୧୭, ଜୁନ୍ ୯ ରେ ୨୯୬୯, ଜୁନ୍ ୧୦ରେ ୩୦୨୬, ଜୁନ୍ ୧୧ରେ ୩୩୩୩, ଜୁନ୍ ୧୨ରେ ୩୮୩୩, ଜୁନ୍ ୧୩ରେ ୩୮୮୦, ଜୁନ୍ ୧୪ରେ ୩୫୫୮, ଜୁନ୍ ୧୫ରେ ୨୪୯୯, ଜୁନ୍ ୧୬ ରେ ୨୯୮୮ ଜଣଙ୍କର କରୋନା ଟେଷ୍ଟ କରାଯାଇଛି । ଗତ ୧୦ ଦିନରେ ଜୁନ୍ ୧୩ ରେ ସର୍ବାଧିକ ୩୮୮୦ ଜଣଙ୍କର ଟେଷ୍ଟ କରାଯାଇଛି ।
ଗଂଜାମ ଜିଲ୍ଲାରେ ସବୁଠୁ ଅଧିକ କରୋନା ରୋଗୀ ବାହାରି ଥିବାରୁ ସେଠାରେ ଭୟାଭୟ ସ୍ଥିତି ରହିଛି । ବ୍ୟବସାୟୀ ମାନେ ନିୟମିତ ଭାବେ ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା କାରଣରୁ ସେମାନଙ୍କୁ କରୋନା ହେବାର ଆଶଙ୍କା ଅଧିକା ରହିଛି । ଏଣୁ ଅତ୍ୟାବଶକୀୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀ ମାନଙ୍କର ମଧ୍ୟ କରୋନା ପରୀକ୍ଷା କରାଯାଉ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି। ରାଜ୍ୟସରକାର ପ୍ରବାସୀ ଶ୍ରମିକମାନଙ୍କୁ କ୍ୱାରେଂଟାଇନ ସେଂଟରରେ ୭ ଦିନ ରଖି ବିନା ଟେଷ୍ଟରେ ଘରକୁ ପଠାଇ ଦେଉଛନ୍ତି । ଏହା ଦ୍ୱାରା କରୋନା ବ୍ୟାପିବାର ସମ୍ଭାବନା ଅଧିକ ରହିଛି। ରାଜ୍ୟ ସରକାର କ୍ୱାରେଂଟାଇନ ସେଂଟରେ ଥିବା ଲୋକମାନଙ୍କର ନିୟମିତ ଟେଷ୍ଟ କରିବା ସହ କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନଙ୍କର ମଧ୍ୟ ଟେଷ୍ଟ କରି ନେଗେଟିଭ ଆସିବା ପରେ ଘରକୁ ପଠାନ୍ତୁ
ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି । ଏବେ ରାଜ୍ୟସରକାର ଆଶା କର୍ମୀ ଏବଂ ଏଏନଏମ ଦିଦି ଘର ଘର ବୁଲି ଅଧିକ ପରୀକ୍ଷା କରିବା ଘୋଷଣାକୁ ଆମେ ସ୍ୱାଗତ କରୁଛୁ । କରୋନା ରୋଗୀମାନଙ୍କ ପାଖକୁ ଯାଉଥିବା ଆଶା ଓ ଏଏନଏମ ଦିଦିଙ୍କୁ ପିପିଇ କିଟ୍ ଓ ଅନ୍ୟାନ୍ୟ ସୁରକ୍ଷା ସାମଗ୍ରୀ ଯୋଗାଇ ଦିଆଯାଉ । ରାଜ୍ୟରେ ଦୈନିକ ପରୀକ୍ଷା ପାଇଁ ଲାବଟୋରୀ ସଂଖ୍ୟା ଓ ପରୀକ୍ଷା କାପାସିଟ ବଢାଇବା ଅତ୍ୟନ୍ତ ଜରୁରୀ । ଏ  ସଂପର୍କରେ ରାଜ୍ୟ ସରକାର ତୁରନ୍ତ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।  ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ଉପସ୍ଥିତ ଥିଲେ ।

Spread the love