ଲଦାଖ ସଂଘର୍ଷ ପାଇଁ ଭାରତକୁ ଦୋଷଦେଲା ଚାଇନା

ଲଦାଖର ଗଲୱାନ ସ୍ଥିତ ସଂଘର୍ଷ ପାଇଁ ଚାଇନା ପୁଣିଥରେ ଭାରତୀୟ ସେନାକୁ ଦୋଷଦେଇଛି। ଲଦାଖ ସ୍ଥିତ ଏଲଏସି ବିବାଦ ପରେ ଆଜି ପ୍ରଥମଥର ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ହୋଇଥିଲା। ଏହି ଆଲୋଚନା ବେଳେ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଲଦାଖ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ଏଥିସହ ଳଦାଖ ସଂଘର୍ଷରେ ସାମିଲ ଥିବା ଭାରତୀୟ ଯବାନଙ୍କୁ ନୂଆଦିଲ୍ଲୀ କଠୋର ଦଣ୍ଡ ଦେଉ ବୋଲି ସେ ଦାବି କରିଛନ୍ତି।ଚାଇନା ପକ୍ଷରୁ ପ୍ରକାଶ ପାଇଥିବା ବିବୃତିରେ ୟି କହିଛନ୍ତି ଯେ “ଜୁନ୍‌ ୧୫ ତାରିଖ ସନ୍ଧ୍ୟାରେ ଭାରତର ଫ୍ରଣ୍ଟ ଲାଇନ ବର୍ଡର ଫୋର୍ସର ସଦସ୍ୟମାନେ ସୀମା ଲଙ୍ଘି ଥିଲେ। ଦୁଇ ଦେଶର ମିଲିଟାରୀ ସ୍ତରୀୟ ଆଲୋଚନା ବେଳେ ଯେଉଁ ସହମତି ହୋଇଥିଲା, ତା’କୁ ଭାରତୀୟ ସେନା ଉଲ୍ଲଙ୍ଘନ କରିଥିଲେ।ଗଲୱାନ ଭ୍ୟାଲିରେ ସ୍ଥିତି ସ୍ୱାଭାବିକ ହେଉଥିବା ବେଳେ ସେମାନେ ଏଲଏସି ଅତିକ୍ରମ କରି ଚାଇନା ସେନାଙ୍କୁ ଉସକାଇଥିଲେ। ଚାଇନା ସେନାର ଅଫିସିଆଲ ଓ ସୈନ୍ୟମାନେ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ଭାରତୀୟ ଯବାନମାନେ ଉତ୍ତେଜନା ସୃଷ୍ଟି କରିଥିଲେ। ଫଳରେ ବିବାଦ ତୀବ୍ର ରୂପ ନେଇଥିଲା ଓ ଗଲୱାନ ଭ୍ୟାଲିରେ ମାରପିଟ ହୋଇଥିଲା।ଭାରତୀୟ ସେନାର କାର୍ଯ୍ୟକଳାପ ଦୁଇ ଦେଶ ମଧ୍ୟରେ ଥିବା ବୁଝାମଣାକୁ ଉଲ୍ଲଙ୍ଘନ କରିଛି। ସେହିପରି ଅନ୍ତର୍ଜାତୀୟ ସମ୍ପର୍କକୁ ମଧ୍ୟ କ୍ଷତି ପହଞ୍ଚାଇଛି। ତେଣୁ ଆମେ ଅନୁରୋଧ କରୁଛୁ କି ଭାରତ ପକ୍ଷରୁ ଘଟଣାର ପୂରା ନିରପେକ୍ଷ ତଦନ୍ତ କରାଯାଉ ଓ ସୀମା ନିୟମ ଉଲ୍ଲଙ୍ଘନ କରିଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯାଉ। ”

Spread the love