ରଥଯାତ୍ରା ବନ୍ଦ ପାଇଁ ଷଡ଼ଯନ୍ତ୍ର କରି ସଫଳ ହେଲେ : ବିଜୟ

ଚଳିତବର୍ଷ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ସନ୍ଦେହ ବ୍ୟକ୍ତ କରିଛନ୍ତି। ରଥଯାତ୍ରା ବନ୍ଦ ପାଇଁ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ଚାଲିଛି ବୋଲି ଆଶଙ୍କା କରାଯାଉଥିଲା। ଶେଷରେ ସେମାନେ ସଫଳ ହେଲେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ରାଜ୍ୟ ବିଜେପି ସ୍ୱାଗତ କରିଥିବାବେଳେ ବରିଷ୍ଠ ବିଜେପି ନେତା ଶ୍ରୀ ମହାପାତ୍ର ଆଜି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।ରଥଯାତ୍ରା ବନ୍ଦ ଓ ରାଜ୍ୟ ସରକାରଙ୍କ ଭୂମିକା ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେପି ନେତା ଶ୍ରୀ ମହାପାତ୍ର କହିଛନ୍ତି ଯେ, ଗତକାଲି ଓଡ଼ିଶା ଇତିହାସରେ ସ୍ମରଣୀୟ ଦିନ ହୋଇ ରହିବ। ସବୁ କଟକଣା ଭିତରେ ମହାପ୍ରଭୁଙ୍କ ସ୍ନାନଯାତ୍ରାଠୁ ଆଜି ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ହୋଇଛି। ଆଶଙ୍କା ହେଉଥିଲା ରଥଯାତ୍ରା ବନ୍ଦ ନେଇ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ଚାଲିଛି। ଶେଷରେ ସେମାନେ ସଫଳ ହେଲେ। ସୁପ୍ରିମକୋର୍ଟ ଯେତେବେଳେ ରାୟ ଦେଇଛନ୍ତି ତାକୁ ତ ସମସ୍ତେ ମାନିବେ। କିନ୍ତୁ ରାଜ୍ୟ ସରକାରଙ୍କ ଭୂମିକା ସନ୍ଦେହ ଘେରରେ ରହିଲା।ରଥଯାତ୍ରା କରିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନଥିଲା। ରାଜ୍ୟ ସରକାର ଚାହିଁଥିଲେ ଏକ ସତ୍ୟପାଠ ଦାଖଲ କରି କଟକଣା ଭିତରେ ରଥଯାତ୍ରା କରିବୁ ବୋଲି କହିପାରିଥାନ୍ତେ। ୧୦ଲକ୍ଷ ଲୋକଙ୍କ ସମାଗମ ହେବନି ବୋଲି କହିଥାନ୍ତେ। କିନ୍ତୁ ରାଜ୍ୟ ସରକାର ସେଭଳି କୌଣସି ଯୁକ୍ତି ରଖିଲେ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ପାଖରେ ରାଜ୍ୟ ସରକାର କାହିଁକି ତାଙ୍କର ଯୁକ୍ତି ରଖିଲେ ନାହିଁ, ତାହା ହିଁ ସରକାରଙ୍କ ଭୂମିକାକୁ ସନ୍ଦେହଘେରକୁ ଆଣୁଛି। ତେବେ ମହାପ୍ରଭୁଙ୍କ ବାକି ନୀତିକାନ୍ତି କେମିତି ହେବ ତା’ର ନିଷ୍ପତ୍ତି କାଲିସୁଦ୍ଧା ନିଆଯାଉ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି।

Spread the love