କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀଙ୍କ ଦିନିକିଆ ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ଗସ୍ତ

କୋଭିଡ-୧୯ ପରି ଏକ ଅସ୍ୱାଭାବିକ ପରିସ୍ଥିତିରେ ଚାଷ କାର୍ଯ୍ୟକୁ ସଫଳ ଭାବେ ଆଗେଇ ନେବା ପାଇଁ ରାଜ୍ୟ ସରକାର ଖରିଫ୍‌ ଚାଷକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଚାଷୀମାନେ ଯେପରି ସୁବିଧାରେ ଚାଷକାର୍ଯ୍ୟ କରି ପାରିବେ ସେଥି ନିମନ୍ତେ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ତୃଣମୂଳସ୍ତରର କୃଷି ଅଧିକାରୀମାନେ ନିଷ୍ଠାପର ଉଦ୍ୟମ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ଦିନିକିଆ ମାଲକାନଗିରି , ନବରଙ୍ଗପୁର ଓ କୋରାପୁଟ ଗସ୍ତରେ ଯାଇ ମାଲକାନଗିରି ଓ ଏବଂ ନବରଙ୍ଗପୁରରେ ଆୟୋଜିତ ପୃଥକ୍‌ ପୃଥକ୍‌ ବୈଠକରେ ଜିଲ୍ଲାର ଖରିଫ୍‌ ଚାଷ ସମ୍ପର୍କରେ ସମୀକ୍ଷା କରିଥିବା ବେଳେ କୋରାପୁଟଠାରେ କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାର ମିଳିତ ବୈଠକରେ ସ୍ଥିତିର ସମୀକ୍ଷା କରିଥିଲେ । ବୈଠକରେ ମନ୍ତ୍ରୀ ଡଃ ସାହୁ ଜିଲ୍ଲାରେ ଖରିଫ୍‌ ଚାଷର ସମୀକ୍ଷା କରିବା ସହିତ ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ । କୋଭିଡ-୧୯ ପରିସ୍ଥିତିରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଲୋକମାନଙ୍କୁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ସହିତ ଲୋକମାନଙ୍କୁ ରୋଜଗାର ଯୋଗାଇ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ । ଏହି ପରିପ୍ରେକ୍ଷୀରେ ଚାଷ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ କାର୍ଯ୍ୟକୁ ଆଗେଇ ନେବା ପାଇଁ ଚାଷୀ ସମ୍ମୁଖୀନ ହେ ଉଥିବା ସମସ୍ୟାଗୁଡ଼ିକର ତ ଣୃମୂଳ ସ୍ତର ରେ ସମାଧାନ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।ଖରିଫ୍‌ ଚାଷ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଉନ୍ନତମାନର ବିହନ, ସାର ଏବଂ କୀଟନାଶକ ମହଜୁଦକୁ ସୁନିଶ୍ଚିତ କରିବା ପାଇଁ ଅଧିକାରୀମାନେ ନିୟମିତ କଡ଼ାକଡ଼ି ଯାଞ୍ଚ କରିବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ । ଚାଷୀମାନଙ୍କର ଆବଶ୍ୟକତା ଅନୁସାରେ ବିହନ ସାର ଯୋଗାଣର ବ୍ୟବସ୍ଥା କରିବା ପାଇଁ କହିଥିଲେ । ସ୍ଥାନୀୟ ଜଳବାୟୁ, ମୃତ୍ତିକା ଓ ଜଳସେଚନର ସୁବିଧାକୁ ଦୃଷ୍ଟିରେ ରଖି ଚାଷକାର୍ଯ୍ୟରେ ବିବିଧକରଣ କରିବା ପାଇଁ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ମନ୍ତ୍ରୀ ଡଃ ସାହୁ ଗୁରୁତ୍ୱ ଦେଇଥିଲେ । କୋଭିଡ-୧୯ ସ୍ଥିତିରେ ସାମାଜିକ ଗଣମାଧ୍ୟମର ବହୁଳ ଉପଯୋଗ କରି ପଞ୍ଚାୟତସ୍ତରରେ ହ୍ୱାଟ୍‌ସ ଆପ ଗ୍ରୁପ୍‌ ଗଠନ ମାଧ୍ୟମରେ ଚାଷୀମାନଙ୍କୁ ଆବଶ୍ୟକୀୟ ସୂଚନା ପ୍ରଦାନ ସହିତ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ପରାମର୍ଶ ଦେଇଥିଲେ । ଏଥିସହିତ ମକା, ଫଳ,  ପନିପରିବା ଆଦି ଚାଷ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଜିଲ୍ଲାରେ ‘ମୋ ପୋଖରୀ’ ଖନନ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଲୋକମାନଙ୍କୁ ରୋଜଗାର ଦେବା ସହିତ ଜଳସେଚନର ସୁବିଧା ସୃଷ୍ଟି କରିବା ନିମନ୍ତେ ମନ୍ତ୍ରୀ କହିଥିଲେ । ସେହିପରି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରି ଦୁଗ୍ଧ, ଅଣ୍ଡା ଏବଂ ମତ୍ସ୍ୟ ଉତ୍ପାଦନରେ ଜିଲ୍ଲାଗୁଡ଼ିକୁ ସ୍ୱାବଲମ୍ବୀ କରିବା ସହିତ ବଳକା ଜିଲ୍ଲାରେ ପରିଣତ କରିବା ଦିଗରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲେ ।

ବୈଠକଗୁଡ଼ିକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡଃ ଏମ୍‌. ମୁଥୁକୁମାରଙ୍କ ସମେତ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା, ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ବିକାଶ ବିଭାଗର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିବା ବେଳେ କୋରାପୁଟଠାରେ ଆୟୋଜିତ ବୈଠକ ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କ ମିଶନର ତ ଥା ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ମଧ୍ୟ ଉପସ୍ଥିତ ଥିଲେ । ମନ୍ତ୍ରୀ ଡଃ ସାହୁ ହେଲିକପଫର ଯୋଗେ ପ୍ରଥମେ ମାଲକାନଗିରି ପରେ ନବରଙ୍ଗପୁର ଏବଂ ଶେଷରେ କୋରାପୁଟ ଜିଲ୍ଲା ଗସ୍ତ କରିଥିଲେ ।

Spread the love