ଝିଅକୁ ହତ୍ୟା କରି ଫୋପାଡ଼ି ଦେଲା ବାପା

ଜନ୍ମ କଲା ବାପା ଯଦି ହତ୍ୟାକାରୀ ସାଜେ, ତା’ ହେଲେ ସେ ପିଶାଚ, ସଇତାନଠୁ କୌଣସି ଗୁଣରେ କମ୍‌ ନୁହେଁ। ରାଗର ବଶବର୍ତ୍ତୀ ହୋଇ ପାଞ୍ଚବର୍ଷର ଝିଅକୁ ହତ୍ୟାକରି ଖୋଲା ପଡ଼ିଆରେ ପକାଇ ଦେଲା ନୃଶଂସ ବାପା। ଏପରି ଲୋମଟାଙ୍କୁରା ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ରାଙ୍କି ମୁଣ୍ଡା ସାହିରେ। ମୃତ ଶିଶୁ କନ୍ୟାର ନାଁ ପୂଜା ମୁଣ୍ଡା। ବାପା ସୋନୁ ମୁଣ୍ଡାଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ଝିଅଟିକୁ ତାର ବାପା ହତ୍ୟା କରିଥିବା ତା’ର ମାମୁ ଥାନାରେ ଅଭିଯୋଗ କରିଛନ୍ତି।

ଆଜି ସକାଳେ ପଡ଼ିଆ ମଝିରେ ଝିଅଟିର ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ପରେ ଶିଶୁକନ୍ୟାଟି ସୋନୁର ଝିଅ ବୋଲି ଜଣାପଡ଼ିଥିଲା। ଶିଶୁକନ୍ୟାଟିକୁ ତା’ ବାପା ସୋନୁ ହତ୍ୟା କରିଥିବା ମାମୁ ଅଭିଯୋଗ କରିଥିଲେ। ଏହା ପୂର୍ବରୁ ସୋନୁ ନିଜ ଶାଶୁଙ୍କୁ ନିଆଁ ଲଗାଇ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।

Spread the love