ଗ୍ୟାସ୍ ଚୁଲାରୁ ଅଗ୍ନିକାଣ୍ତ ରୋଷେଇ ଘର ଭସ୍ମ, ୩ ଗୁରୁତର

ଅନୁଗୁଳ, ବିକାଶ ଚନ୍ଦ୍ର ସାହୁ : ଛେଣ୍ତିପଦା ବ୍ଲକ୍ ଜେରେଙ୍ଗ ଦେହୁରୀସାହି ପଞ୍ଚାୟତର ଲକ୍ଷ୍ମୀଧରପୁର ଗ୍ରାମରେ ଆଜି ଏକ ଅଘଟଣ ଘଟିଛି। ରୋଷେଇ ସମୟରେ ଗ୍ୟାସ୍‌ ଚୁଲାରୁ ନିଆଁ ଲାଗି ରୋଷେଇ ଘର ପୋଡ଼ିଯାଇଛି। ନିଆଁରେ  ୩ ଜଣ ପୋଡ଼ି ଯାଇଥିବା ବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା‌େର  ଭର୍ତ୍ତି କରାଯାଇଛି।
ପ୍ରକାଶ ଯେ, ଆଜି ମଧ୍ୟାହ୍ନରେ ଲକ୍ଷ୍ମୀଧରପୁର ଗ୍ରାମର କାମିନୀ ନାଏକଙ୍କ ଝିଅ ମିନତୀ ନାଏକ(୨୩) ରୋଷେଇ କରୁଥିଲେ। ଏହି ସମୟରେ ଗ୍ୟାସ ଚୁଲାରୁ ଗ୍ୟାସ୍ ଲିକ୍ କରି ଘର ଚାଳକୁ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ତରେ ମିନତୀଙ୍କ ସହିତ ପାଖରେ ଥିବା ତାଙ୍କ ଭିଣୋଇ ବସନ୍ତ ନାଏକ(୩୨) ଓ ସାନଭାଇ ସିଦ୍ଧାନ୍ତ ନା‌ଏକ(୧୮) ପୋଡ଼ି ଗୁରୁତର  ହୋଇଥିଲେ।
ଖବର ପାଇ ଛେଣ୍ତିପଦା ଦମକଳବାହିନୀ ସେଠାରେ ପହଞ୍ଚି  ନିଆଁକୁ ଆୟତ୍ତ କରିଥିଲା। ଆହତଙ୍କ ଚିକିତ୍ସା ପାଇଁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ହେଲେ  ଆମ୍ବୁଲାନ୍ସ ପହଞ୍ଚିବାରେ   ବିଳମ୍ବ ହେବାରୁ ସେଠାରେ କିଛି ସମୟ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।  ୨ ଘଣ୍ଟା ବିଳମ୍ବରେ ଆମ୍ବୁଲାନ୍‌ସ ପହଞ୍ଚିବା ପରେ ଆହତମାନଙ୍କୁ ସେଥିରେ ଚିକିତ୍ସା ପାଇଁ ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।   
Spread the love