ମାଟ୍ରିକ୍‌ ସ୍କ୍ବାଡ୍‌ରେ ରହିବେ ଅଧ୍ୟାପକ

ମାଟ୍ରିକ୍‌ ପରୀକ୍ଷାରେ କପି ରୋକିବା ପାଇଁ ଏଥର ସ୍କ୍ବାଡ୍‌ ବ୍ୟବସ୍ଥାରେ ସଂସ୍କାର ଅଣାଯିବ। ଏଥର ଫ୍ଲାଇଂ ସ୍କ୍ବା‌ଡ୍‌ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଅଧ୍ୟାପକମାନଙ୍କୁ ସାମିଲ କରାଯିବ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଚଳିତବର୍ଷ ସ୍କ୍ବାଡ୍‌ରେ 102 ଜଣ ଅଧ୍ୟାପକଙ୍କୁ ସାମିଲ କରାଯିବ। ଫ୍ଲାଇଂ ସ୍କ୍ବାଡ୍‌ରେ 58ଜଣ ଥିବା ବେଳେ ସ୍ବତନ୍ତ୍ର ସ୍କ୍ବାଡ୍‌ରେ ୪୪ଜଣ ଅଧ୍ୟାପକ ରହିଛନ୍ତି। ଏମାନେ ମାଟ୍ରିକ୍‌ ପରୀକ୍ଷା ସମେତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା, ମଧ୍ୟମା ପରୀକ୍ଷାରେ ସାମିଲ ହେବେ। ଗତ 13 ତାରିଖରେ ମାଧ୍ୟମିକ ଶିକ୍ଷା ପରିଷଦ ସଚିବ ଏନେଇ ଉଚ୍ଚଶିକ୍ଷା ନିର୍ଦେଶକଙ୍କୁ ଚିଠି ଲେଖିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ନିର୍ଦେଶାଳୟର ନିର୍ଦେଶକ ସୁନ୍ଦରଲାଲ୍‌ ସିଲ୍‌ ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ସହଯୋଗ କରିବାକୁ ନିର୍ଦେଶ ଦେଇଛନ୍ତି। ସ୍ବତନ୍ତ୍ର ସ୍କ୍ବାଡ୍‌ରେ ରହିବାକୁ ଥିବା ଅଧ୍ୟାପକମାନେ ଆସନ୍ତା 20 ତାରିଖ ପୂର୍ବାହ୍ନ 11ଟାରେ ସେକେଣ୍ଡାରି ବୋର୍ଡ ହାଇସ୍କୁଲରେ ପହଞ୍ଚିବାକୁ କୁହାଯାଇଛି।

ଫ୍ଲାଇଂ ସ୍କ୍ବାଡ୍‌ରେ ସାମିଲ ହେବାକୁ ଥିବା ଅଧ୍ୟାପକମାନେ 21 ତାରିଖ ପୂର୍ବାହ୍ନ 11ଟାରେ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ରିପୋର୍ଟ କରିବାକୁ ନି‌ର୍ଦେଶ ଦିଆଯାଇଛି। ଯେଉଁ ଅଧ୍ୟାପକମାନେ ସ୍କ୍ବାଡ୍‌‌ରେ ରହିବେ ବୋଲି ‌ସ୍ଥିର ହୋଇଛି ସେମାନଙ୍କୁ ଛାଡ଼ିବା ଦିଗରେ କଲେଜ ଅଧ୍ୟକ୍ଷମାନେ ପଦକ୍ଷେପ ନେବାକୁ କୁହାଯାଇଛି। ଫେବ୍ରୁଆରି 22ରୁ ମାର୍ଚ୍ଚ 8 ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ 2019-20 ଶିକ୍ଷାବର୍ଷ ପୂର୍ବରୁ କ୍ୟାମ୍ପସରେ ବାୟୋମେଟ୍ରିକ୍‌ ମେସିନ୍‌ ଲଗାଇବାକୁ ସମସ୍ତ ସରକାରୀ, ବେସରକାରୀ, ଅଣ-ଅନୁଦାନପ୍ରାପ୍ତ, ସେଲ୍ଫ ଫା‌ଇନାନ୍ସିଂ, ଜୁନିଅର କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦେଶ ଦିଆଯାଇଛି। ଶ୍ରୀ ସିଲ୍‌ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସରକାରୀ ଅଧିକାରୀମା‌ନେ ବିଭିନ୍ନ ସମୟରେ ବିଦ୍ୟାଳୟଗୁଡ଼ିକୁ ଗସ୍ତ କରିଥିଲେ। ଏହି ସମୟରେ ଅଧ୍ୟାପକମାନେ କ୍ୟାମ୍ପସରେ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ପାଠପଢ଼ା ସମୟରେ କେତେକ ଅଧ୍ୟାପକ ଓ କର୍ମଚାରୀ କ‌ଲେଜ ଆସି ନଥିଲେ। ତାହାକୁ ଦୃଷ୍ଟିରେ ରଖି ବାୟୋମେଟ୍ରିକ୍‌ ମେସିନ୍‌ ଲଗାଇବାକୁ କୁହାଯାଇଛି। ଏହାଦ୍ବାରା ଅଧ୍ୟାପକ ଓ କର୍ମଚାରୀଙ୍କ ଉପସ୍ଥାନ ଯାଞ୍ଚ କରାଯିବା ସହ କ୍ୟାମ୍ପସର କାର୍ଯ୍ୟକଳାପ ଉପରେ ନଜର ରଖାଯାଇପାରିବ।

Spread the love