ସ୍ୱର୍ଗଦ୍ୱାରରେ କଟକଣାକୁ ନେଇ ତେଜୁଛି ଅସନ୍ତୋଷ: ଜିଲ୍ଲାପାଳଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ

ପୁରୀ (ଓଡ଼ିଶା ରିପୋର୍ଟର): ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତିର ପବିତ୍ର ସ୍ଥଳ ହେଉଛି ଶ୍ରୀକ୍ଷେତ୍ରର ସ୍ୱର୍ଗଦ୍ୱାର। ଯେଉଁଠି ଦିନରାତି ଜଳୁଥାଏ ଅଖଣ୍ଡ ଜୁଇ। କାରଣ ଏଠାରେ ମୃତ ବ୍ୟକ୍ତିର ଅନ୍ତିମ ସଂସ୍କାର ହେଲେ ତା’ର କୁଆଡ଼େ ଆଉ ପୁନର୍ଜନ୍ମ ନାହିଁ ବୋଲି ହିନ୍ଦୁ ଧର୍ମରେ ରହିଛି ପ୍ରଗାଢ଼ ବିଶ୍ୱାସ। ସେଥିପାଇଁ ବର୍ଷତମାମ ଏଠାକୁ ଦୂର ଦୂରାନ୍ତରୁ ମୃତଦେହ ଧରି ଧାଇଁ ଆସନ୍ତି ଆତ୍ମିୟ ସ୍ୱଜନ। ହେଲେ ଆଜି ସକାଳୁ କିନ୍ତୁ ଏ ସ୍ଥାନ ଖାଁ ଖାଁ। କାରଣ କୋଭିଡ୍‌ ସଂକ୍ରମଣ ରୋକିବାକୁ ସ୍ୱର୍ଗଦ୍ୱାରକୁ ଆଜିଠୁ ପୁରୀ ଜିଲ୍ଲା ବାହାରର ମୃତ ବ୍ୟକ୍ତିଙ୍କ ମୃତଦେହ ସଂସ୍କାର ଉପରେ ପ୍ରଶାସନ ଲଗାଇଛି କଡ଼ା କଟକଣା। ଖାଲି ସେତିକି ନୁହେଁ ସମୁଦ୍ରରେ ଅସ୍ଥି ବିସର୍ଜନ ଉପରେ ମଧ୍ୟ ଲାଗିଛି ପ୍ରତିବନ୍ଧକ।

ସେପଟେ ସ୍ୱର୍ଗଦ୍ୱାରରେ ମୃତଦେହ ସତ୍କାର ଉପରେ ଲାଗିଥିବା କଟକଣାକୁ ନେଇ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରି ସିଧାସଳଖ ପୁରୀ ଜିଲ୍ଲାପାଳଙ୍କୁ ନିଶାନା କରିଛନ୍ତି ବିରୋଧୀ ବିଜେପି। ଅଭିଯୋଗ କରିଛି, ଜିଲ୍ଲାପାଳଙ୍କ ନିଷ୍ପତ୍ତି ଏକତରଫା। ସ୍ୱର୍ଗଦ୍ୱାର ଉପରେ କେବଳ ପୁରୀ ବାସିନ୍ଦାଙ୍କ ନୁହେଁ, ସମସ୍ତଙ୍କର ଅଧିକାର ରହିଛି। ଗାଇଡ୍‌ଲାଇନ୍‌ ମାନି ସେଠି ଦାହ ସଂସ୍କାର କରାଯାଇ ପାରିଥାନ୍ତା। ରଥଯାତ୍ରା ଭଳି ସ୍ୱର୍ଗଦ୍ୱାର ବନ୍ଦ କରିବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି କଂଗ୍ରେସ କହିଛି। ପୁରୀ ଜିଲ୍ଲାପାଳ ଓଡ଼ିଆ ହୋଇନଥିବାରୁ ସ୍ୱର୍ଗଦ୍ୱାରର ମହତ୍ତ୍ୱ ଜାଣି ନାହାନ୍ତି। ନିଷ୍ପତ୍ତି ନବଦଳାଇଲେ ସାରା ରାଜ୍ୟରେ ବିପ୍ଲବ ହେବ ବୋଲି କଂଗ୍ରେସ କହିଛି। ତେବେ ବିରୋଧୀଙ୍କ ଅଭିଯୋଗ ଉପରେ କିନ୍ତୁ ପୁରୀ ଜିଲ୍ଲାପାଳ ଓ ସରକାରୀ ଦଳ ନେତା ସମସ୍ତେ ଚୁପ୍।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି-“ସ୍ୱର୍ଗଦ୍ୱାରରେ ବାହାର ଲୋକ ମୃତଦେହ ସଂସ୍କାର କରିପାରିବେ ନାହିଁ। ଏହା ହେଉଛି ଏକପାଖିଆ ନିଷ୍ପତ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ଆସ୍ଥାକୁ ହତ୍ୟା କରିବାର ଅଧିକାର କୌଣସି ସରକାରର ନାହିଁ।”

ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି-“ଜିଲ୍ଲାପାଳ ଓଡ଼ିଆ ହୋଇଥିଲେ ଏପରି ନିଷ୍ପତ୍ତି ନେଇ ନଥାଆନ୍ତେ। ଏପରି ନିଷ୍ପତ୍ତି ବିରୋଧରେ ବିରାଟ୍‌ ବିପ୍ଳବ ହେବ।”

ତେଣେ ଜିଲ୍ଲା ପ୍ରଶାସନର କଟକଣା ପରେ ସିଧା ସଳଖ ପ୍ରଭାବିତ ହୋଇଛନ୍ତି ସ୍ୱର୍ଗଦ୍ୱାରକୁ ଆଶ୍ରା କରି ବଞ୍ଚୁଥିବା ପଥଶ୍ରାଦ୍ଧ ବ୍ରାହ୍ମଣ, ସାବୁତ ନିଯୋଗ ଓ ଶବଦାହ କରି ବଞ୍ଚୁଥିବା ଲୋକଙ୍କ ପରିବାର।

Spread the love