ସାଧାରଣ ସଭାରେ ତଥାଗତଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ) :  ଢ଼େଙ୍କାନାଳ ଲୋକସଭା ଆସନରେ ପ୍ରାକ୍ତନ ରାଜ୍ୟ ସଭା ସାଂସଦ ରୁଦ୍ରନାରାୟଣ ପାଣି ୨୦୧୯ ନିର୍ବାଚନରେ ପ୍ରାର୍ଥୀ ହେବେ ଆଉ ବିଜୟୀ ମଧ୍ୟ ହେବେ । ଆଜି ଅନୁଗୁଳ ଗସ୍ତରେ ଆସି ଏକଥା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନାଲକୋନଗରଠାରେ ଚକ୍ଷୁ ଚିକିତ୍ସାଳୟ ଉଦଘାଟନୀ ସମାରୋହରେ ଅନୁଷ୍ଠିତ ହୋଇଥିବା ଜନସଭାରେ ଉଦବୋଧନ ଦେବା ସମୟରେ ଏହି କଥା ମନ୍ତ୍ରୀ କହିଥିଲେ । ଆଉ ପୁଣି ଏହି କଥାକୁ ପାଲଲହଡାଠାରେ ବିର ବିର୍ସା ମୁଣ୍ଡାଙ୍କ ପ୍ରତିମୁର୍ତ୍ତି ଉନ୍ମୋଚନ ବେଳେ ଦୋହରାଇଥିଲେ ।

ନାଲକୋଠାରେ ଦେଇଥିବା ଉଦବୋଧନରେ ସେ ନାଲକୋ କମ୍ପାନୀ ଦ୍ୱାରା ଗାଢ଼ରଖାଇ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିବା କହିବା ସହ ସ୍ଥାନୀୟ ବିଧାୟକ ୩ ଥର ବିଧାୟକ ହେବା ପରେ ମଧ୍ୟ ଏଠାରେ ପାନୀୟ ଜଳ ଯୋଗାଣ  ଦେଇ ପାରି ନାହାନ୍ତି ବୋଲି କହିଥିଲେ  । ଜିଲ୍ଲା ମିନେରାଲ ଫଣ୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଯୋଜନା କିନ୍ତୁ ଅନୁଗୁଳ ଜିଲ୍ଲାରେ ଏହି ପାଣ୍ଠିର ଉପଯୋଗ ହୋଇ ପାରୁନଥିବାରୁ ଅନୁଗୁଳବାସୀ ଓ ମୌଳିକ ସୁବିଧାରୁ ବଞ୍ଚିତ ରହୁଥିବା କଥା ଶ୍ରୀ ପ୍ରଧାନ କହିଥିଲେ । ନାଲକୋ କମ୍ପାନୀରେ କାର୍ଯ୍ୟରତ ଥିବା ଠିକା ଶ୍ରମିକ ମାନଙ୍କୁ ସ୍ଥାୟୀ ପଟ୍ଟା,ନାଲକୋ ସ୍ଥିତ ରାଜପଥ ଉପରେ ଓଭରବ୍ରିଜ,ନାଲକୋ ଅସ୍ଥାୟୀ କର୍ମଚାରୀଙ୍କୁ ବୋନସ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଶ୍ରୀ ପ୍ରଧାନ ନାଲକୋର ଉଚ୍ଚପଦାଧିକାରୀ ମାନଙ୍କୁ ଏହା ଶିଘ୍ର କାର୍ଯ୍ୟକାରୀ କରିବା ପାଇଁ ଏହି ସଭାରେ ଜଣାଇଥିଲେ । ତେବେ ପାଲଲହଡାଠାରେ ଅନୁଷ୍ଠିତ ସଭାରେ ଢେଙ୍କାନାଳ ସାଂସଦଙ୍କୁ କଟାକ୍ଷ କରିଥିଲେ କେନ୍ଦ୍ର ମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ କହିଲେ, ‘କିଛିଦିନ ତଳେ ମୋ ଅଞ୍ଚଳର ଏମ୍‌ପି ତଥାଗତ ବାବୁଙ୍କ ଗୋଟିଏ ବକ୍ତବ୍ୟ ଦେଖୁଥିଲି। ଆମେ ଏଥର ଦିଲ୍ଲୀରେ କାହାକୁ ସମର୍ଥନ କରିବୁ । କିହୋ ବାବୁ , ତମେ ଥିଲେ ତ ସମର୍ଥନ କରିବ । ଚାଲ ଠିକ୍‌ ଅଛି, ସ୍ୱପ୍ନ ଦେଖ, ତୁମେ ତ ତମ ନେତାଙ୍କ ବାପା ଦେଖିଥିବା ସ୍ୱପ୍ନକୁ ଗୋଡ଼େଇ ଗୋଡ଼େଇ ଚଳେଇଛ। ଆଉ ତୁମେ ତମ ମା’ ନନ୍ଦିନୀ ଦେବୀଙ୍କ ସ୍ୱପ୍ନକୁ ଭୁଲିଯାଇଛ । ଛାଡ଼ ପର ଘର ତିଅଣ ଖାଇ କି ଖୁସିରେ ରୁହ ବୋଲି ସେ କଟାକ୍ଷ କରିଥିଲେ । ଏହି ଅବସରରେ ସେ ପରୋକ୍ଷରେ ଢେଙ୍କାନାଳ ଲୋକସଭା ଆସନରୁ ଏମ୍‌ପି ପ୍ରାର୍ଥୀ ଭାବେ ରୁଦ୍ରନାରାୟଣ ପାଣି ଲଢ଼ିବେ ବୋଲି ଘୋଷଣା ମଧ୍ୟ କରିଛନ୍ତି ।  

Spread the love