ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟ ଉଦଘାଟିତ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ) : ନାଲକୋ କମ୍ପାନୀର ସହାୟତାରେ ଅତ୍ୟାଧୁନିକ ନାଲକୋ ଏଲ.ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ସୋମବାର ଦିନ ଉଦଘାଟିତ ହୋଇଯାଇଛି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ , ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିକିତ୍ସାଳୟର ଉଦ୍ଘାଟନ କରିଥିଲେ ।

କେନ୍ଦ୍ର ମନ୍ତ୍ରୀ ଉଦ୍ଘାଟନ ଉତ୍ସବ ସମାପନରେ ଏକ ଜନ ସଭାକୁ ଉଦବୋଧନ ଦେଇ ଏଲ.ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଅନୁଗୁଳ ନାଲକୋ ଅଞ୍ଚଳରେ ହେବା ଦ୍ୱାରା ନାଲକୋ କର୍ମଚାରୀ ମାନଙ୍କ ସହ ଜିଲ୍ଲାର ସବୁ ବର୍ଗର ଲୋକ ଏଠାରେ ଚିକିତ୍ସା ହୋଇ ପାରିବେ ବୋଲି ପ୍ରକାଶ କରିଥିଲେ ।  ୪ ଏକର ପରିମିତ ଜାଗାରେ ୨୫ କୋଟି ଟଙ୍କା ବ୍ୟୟ କରାଯାଇ ଏହି ଅତ୍ୟାଧୁନିକ ଚିକିତ୍ସାଳୟ ପ୍ରତିଷ୍ଠା ହୋଇଥିବା ସହିତ ଏଠାରେ ଦୈନିକ ଶହେ ଜଣ ରୋଗୀଙ୍କ ଚକ୍ଷୁର ଅସ୍ତ୍ରୋପଚାର ହୋଇପାରିବ ।

ବର୍ଷକୁ ୬୦ ହଜାର ରୋଗୀଙ୍କ ଚିକିତ୍ସା ଏବଂ ୬ ହଜାର ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ଲକ୍ଷ୍ୟ ରଖା ଯାଇଛି । ଏହା ସହ ନାଲକୋର ପାରିପାର୍ଶିକ ଗାଁ ଏବଂ ଜିଲ୍ଲାର ଗରିବ ରୋଗୀ ମାନଙ୍କର ମାଗଣା ଚିକିତ୍ସା ଏଠାରେ କରାଯିବ । ୩ ବର୍ଷ ପୂର୍ବରୁ ଏହି ଚକ୍ଷୁ ଚିକିତ୍ସାଳୟର ଶିଳାନ୍ୟାସ ହୋଇଥିଲା । କେନ୍ଦ୍ର ସରକାରଙ୍କ ଉଦ୍ୟମ ସହ ନାଲକୋ ଓ ଏଲ.ଭି ପ୍ରସାଦ କମ୍ପାନୀର ସି.ଏସ.ଆର ପାଣ୍ଠିରୁ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟ ଅନୁଗୁଳ ବାସୀଙ୍କୁ ଚିକିତ୍ସାରେ ସୁବିଧା ଯୋଗାଇବ ବୋଲି ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

ଜନ ସଭାକୁ ଉଦବୋଧନ ଦେଇ ନାଲକୋ ସି ଏମ ଡି ତପନ କୁମାର ଚାନ୍ଦ , ନାଲକୋ ବିଶ୍ୱର ପ୍ରଥମ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀ ଏବଂ ୨୦୨୧ ସୁଦ୍ଧା ନାଲକୋ ତାର ସି ଏସ ଆର ପାଣ୍ଠିକୁ ୧୦୦ କୋଟି ପର୍ଯ୍ୟନ୍ତ ବଢ଼ାଇବ ବୋଲି ପ୍ରକାଶ କରିଥିଲେ । ଏହି ସଭାରେ ନାଲକୋର ଏଚ ଆର ଡାଇରେକ୍ଟର ବି.କେ ଠାକୁର , ଏଲ.ଭି ଚକ୍ଷୁ ଚିକିତ୍ସାଳୟର ମୁଖ୍ୟ ଡକ୍ଟର ତାରା ପ୍ରସାଦ ଦାସ , ପ୍ରାକ୍ତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି , ନାଲକୋ ଇ.ଡି. ଆର.କେ. ମିଶ୍ର ଉପସ୍ଥିତ ଥିଲେ ।

Spread the love