ସ୍ମରଣୀୟ ରହିବ ୨୦୨୦ ରଥଯାତ୍ରା, ଭଙ୍ଗାଯିବ ନାହିଁ ଶ୍ରୀଜିଉଙ୍କ ରଥ

ରଥଯାତ୍ରା-୨୦୨୦ ସ୍ମରଣୀୟ ହୋଇରହିବ । ବିଶ୍ୱ ବିଖ୍ୟାତ ପୁରୀ ରଥଯାତ୍ରାର ଆକର୍ଷଣ କୁହାଯାଉଥିବା ଶ୍ରୀଜିଉଙ୍କ ତିନି ରଥକୁ ଚଳିତ ଥର ଭଙ୍ଗାଯିବ ନାହିଁ । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥକୁ ନଭଙ୍ଗାଯାଇ ଜଗନ୍ନାଥ ବଲ୍ଲଭ ପରିସରରେ ରଖାଯିବା ଲାଗି ସ୍ଥିର କରାଯାଇଛି ।ବିଶ୍ୱକର୍ମା ଓ ଭୋଇ ସେବାୟତଙ୍କ ସହ ଆଲୋଚନା ପରେ ଚଳିତ ବର୍ଷର ରଥଗୁଡ଼ିକ ନ ଭାଙ୍ଗିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହି ତିନି ରଥକୁ ସିଂହଦ୍ୱାର ଠାରୁ ଜଗନ୍ନାଥ ବଲ୍ଲଭ ପରିସର ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ, ମହାମାରୀ କରୋନା ଭାଇରସ ଚଳିତ ବର୍ଷର ରଥଯାତ୍ରାରେ ପ୍ରଭାବ ପକାଇଥିଲା । ଅନିଶ୍ଚିତତା ମଧ୍ୟରେ ରଥଯାତ୍ରାର ଭାଗ୍ୟ ନିର୍ଦ୍ଧାରଣ କରିଥିଲା । ରଥଯାତ୍ରା ଆୟୋଜନ ନେଇ ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ଯାତ୍ରାର ୨ ଦିନ ପୂର୍ବରୁ ସୁପ୍ରିମକୋର୍ଟ ରଥଯାତ୍ରାର ଆୟୋଜନକୁ ଅନୁମତି ଦେବା ପରେ କୋଟି କୋଟି ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଆଶ୍ୱସ୍ତି ମିଳିଥିଲା । ଶ୍ରୀଜିଉଙ୍କ ରଥଯାତ୍ରା ଘୋର କଟକଣା ମଧ୍ୟରେ ସଂପନ୍ନ ହୋଇଥିଲା । ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତିରେ କରୋନା ପାଇଁ ଲାଗୁ ହୋଇଥିବା ନୀତିକାନ୍ତିଙ୍କୁ ଗୁରୁତ୍ୱ ଦିଆଯାଇଥିଲା । ଶ୍ରୀଜିଉଙ୍କ ରଥ ନିର୍ମାଣ କାମ ଦୀର୍ଘ ୧୧ ଦିନ ବିଳମ୍ବରେ ଆରମ୍ଭ ହୋଇଥିଲା । କିନ୍ତୁ ମହରଣା ସେବାୟତମାନେ ଦିନରାତି କାମ କରି ନିର୍ଦ୍ଧାରିତ ସମୟରେ ରଥ ନିର୍ମାଣ କାମ ଶେଷ କରିଥିଲେ । ଶେଷରେ କେବଳ କିଛି ଚୟନିତ ସେବାୟତ ଓ ଭକ୍ତଙ୍କ ଦ୍ୱାରା ରଥଯାତ୍ରା ଶେଷ ହୋଇଥିଲା ।

Spread the love