ଚାଷୀଙ୍କୁ ଆଉ ଫେରାଇବାକୁ ପଡ଼ିବ ନାହିଁ କାଳିଆ ଟଙ୍କା

କରୋନା ସ୍ଥିତି ଓ ଖରିଫ୍‌ ଫସଲକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପାଇଁ ଚାଷୀଙ୍କୁ ଆଉ କାଳିଆ ଟଙ୍କା ଫେରାଇବାକୁ ପଡ଼ିବ ନାହିଁ। ରାଜ୍ୟ ସରକାରଙ୍କର ଏ ନିଷ୍ପତ୍ତି ସଂପର୍କରେ ରବିବାର କୃଷି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର କୃଷି ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ପୂର୍ବରୁ କାଳିଆ ଟଙ୍କା ଫେରସ୍ତ କରିବା ପାଇଁ ଚାଷୀମାନଙ୍କୁ ସୂଚନା ଦିଆଯାଇଥିଲା । ଏଥିପାଇଁ କୃଷି ବିଭାଗ ପକ୍ଷରୁ ବ୍ୟାଙ୍କ୍‌ ଆକାଉଂଟ ନମ୍ବର ସହ ବିଧିବଦ୍ଧ ଭାବେ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା।ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରସ୍ଥ କୃଷି ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ଫେରାଇବେ ବୋଲି କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଥିଲେ। ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୯୮ ପ୍ରତିଶତ ଯୋଗ୍ୟ ହିତାଧିକାରୀ ରହିଥିବା ବେଳେ କେବଳ ୫୦ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିବା ବୈଠକରେ କୁହାଯାଇଥିଲା।

ତେବେ କିଛି ହିତାଧିକାରୀ ନିଜ ଆଡୁ ପାଇଥିବା କାଳିଆ ଟଙ୍କା ଫେରାଇ ଦେଇଥିବା ବେଳେ ଅନ୍ୟମାନଙ୍କୁ ଟଙ୍କା ଫେରାଇବାକୁ କୁହାଯାଇଥିଲା। ଏହି ଟଙ୍କା ଫେରାଇବାକୁ ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଂଟ ନମ୍ବର ଦିଆଯାଇଥିଲା। ସେମାନେ ଉକ୍ତ ବ୍ୟାଙ୍କ ଆକାଉଣ୍ଟରେ ଜମା କରି ଟଙ୍କା ଫେରସ୍ତ କରିବେ ବୋଲି କୃଷି ସଚିବ ସୌରଭ ଗର୍ଗ କହିଥିଲେ।

Spread the love