ଗିରଫ କରାଯାଇଥିବା 2ଜଣ ବ୍ୟକ୍ତିଙ୍କୁ ତୁରନ୍ତ ମୁକ୍ତ କରାଯାଉ :ବାବୁ ସିଂ

ରାଜ୍ୟସରକାର ନିଜର ଦୋଷ ଦୁର୍ବଳତା ଶୁଣିବା ପାଇଁ ପ୍ରସ୍ତୁତ ନାହାଁନ୍ତି । ଯିଏ ସତ୍ୟ କହୁଛି ଅବା ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାକୁ ଆଣୁଛି ରାଜ୍ୟସରକାର ପୋଲିସ ଲଗାଇ ସେମାନଙ୍କୁ ଗିରଫ କରି ଏକ ଭୟର
ବାତାବରଣ ସୃଷ୍ଟି କରୁଛନ୍ତି । ଗତକାଲି କୋଭିଡ ପରିଚାଳନାର ଅବ୍ୟବସ୍ଥା ସଂପର୍କିତ ଭାଇରାଲ ଅଡିଓ ଅଭିଯୋଗରେ ଗିରଫ ହୋଇଥିବା ଲକ୍ଷ୍ମୀକାନ୍ତ ବେହେରା ଏବଂ ବିଶ୍ୱଜିତ ମହାନ୍ତିଙ୍କୁ ଗିରଫ କରାଯାଇଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧୀ ଦଳ ଲକ୍ଷ୍ମୀକାନ୍ତ ବେହେରାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଘଟଣା ସଂପର୍କରେ ଆଲୋଚନା କରିଛନ୍ତି । ପରିବାର ଲୋକ ଅନେକ ଦୁଃଖ ଓ ମାନସିକ ଯନ୍ତ୍ରଣାରେ ଥିବା କଥା ପ୍ରତିନିଧୀ ଦଳ ଆଗରେ ବଖାଣିଛନ୍ତି । ଏହି ଅଡିଓକୁ କୌଣସି ମନ୍ଦ ଉଦ୍ଦେଶ୍ୟ ନେଇ ଭାଇରାଲ କରାଯାଇ ନଥିଲା । ସତ କଥା କହିବା ପରେ ରାଜ୍ୟସରକାର ସେମାନଙ୍କୁ ଗିରଫ କରି ଅକଥନୀୟ ଅତ୍ୟାଚାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଗତକାଲି ଗିରଫ କରାଯାଇଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି ଶ୍ରୀ ସିଂ ଦାବୀ କରିଛନ୍ତି । ଶ୍ରୀ ସିଂ କହିଛନ୍ତି ଯେ, ପୋଲିସ ପକ୍ଷରୁ ଗତ ୯ ତାରିଖ ଦିନ ଏହି ଦୁଇ ଜଣ ବ୍ୟକ୍ତିଙ୍କୁ ନିଜ ଘରୁ ଉଠାଇ ନେଇ ରାତି ୧୨ ଟାରେ ପୋଲିସ ପଚରାଉଚରା କରିବା ପାଇଁ ଡାକିଛି ବୋଲି ସୂଚନା ଦେବା ଅତ୍ୟନ୍ତ ନିନ୍ଦନୀୟ । ଗତ କାଲି ଅର୍ଥାତ୍ ୧୦
ତାରିଖରେ ପ୍ରେସ ରିଲିଜ ମାଧ୍ୟମରେ ସେହି ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା କଥା ପୋଲିସ ସୂଚନା ଦେଲା । ଏଭଳି ଘଟଣାରେ ପ୍ରାୟତଃ ପୋଲିସ କମିଶନର ସବୁ ସାମ୍ବାଦିକମାନଙ୍କୁ ଡାକି ଘଟଣା ସଂପର୍କରେ ସୂଚନା ଦେଇଥାନ୍ତି । ମାତ୍ର ଏସବୁ ନକରି କେବଳ ପ୍ରେସ ରିଲିଜ ମାଧ୍ୟମରେ ଗିରଫ କରିବା କଥା ଜଣାଇବା ସାଧାରଣରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଭାଇରାଲ ଅଡିଓ କ୍ଲିପରେ ଏମିତି କଣ ଥିଲା ଯେ ଦୁଇ ଜଣଙ୍କୁ ଗିରଫ କରାଗଲା, ଏହାର ଉତର ବିଏମସି କର୍ତୃପକ୍ଷ ଏବଂ ଭୁବନେଶ୍ୱର ପ୍ରଶାସନ ସ୍ପଷ୍ଟ କରନ୍ତୁ । ଅଡିଓ କ୍ଲିପରେ ଏମିତି କୌଣସି କଥା ବି ନାହିଁ ଯାହା ସମାଜରେ ଭୟର ବାତାବରଣ ସୃଷ୍ଟି କରିବ । ଭାଇରାଲ ଅଡିଓ କ୍ଲିପକୁ ପ୍ରଶାସନ ଭଲ ଭାବରେ ଶୁଣନ୍ତୁ ଏବଂ ବୁଝନ୍ତୁ କି, ଏଥିରେ ଏପରି କଣ ଅଛି ଯେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଗଲା । ଏଭଳି ଏକଚାଟିଆ ମନୋମୁଖୀ ଶାସନକୁ ଭୁବନେଶ୍ୱରବାସୀ କେବେ ବି କ୍ଷମା ଦେବେ ନାହିଁ । ସାଧାରଣ ଲୋକଙ୍କ ପ୍ରତି ପ୍ରଶାସନର ଆକ୍ରୋଣମୂଳକ ପଦକ୍ଷେପ ଏବଂ ବିଏମସି ଓ ପୋଲିସ ପ୍ରଶାସନର ଏଭଳି କାର୍ଯ୍ୟାନୁଷ୍ଠାନକୁ ଶ୍ରୀ  ସିଂ ଦୃଢ ନିନ୍ଦା କରିଛନ୍ତି ।
କିଛିଦିନ ପୂର୍ବରୁ ବିଜେପିର ଏକ ପ୍ରତିନିଧୀ ଦଳ ହରିନଗର ବସ୍ତି ଅଂଚଳ ଗସ୍ତ କରି ବସ୍ତି ବାସିନ୍ଦାଙ୍କୁ ଭେଟିଥିଲା । ବିଏମସିର ଭୃଲ ତଥ୍ୟ କାରଣରୁ ସେମାନେ ମାନସିକ ଯନ୍ତ୍ରଣା ପାଇବା ସହ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ଘଟଣାରେ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ମାତ୍ର ଆଜି ସାଧାରଣ ଲୋକମାନେ କରୋନା ଅବ୍ୟବସ୍ଥା ଉପରେ କହିବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲା କାହିଁକି ? ଭୁବନେଶ୍ୱରରେ କ’ଣ କୌଣସି ଲୋକର କଥା କହିବାକୁ ସ୍ୱାଧୀନତା ମିଳିନାହିଁ ବୋଲି ସିଂ ପ୍ରଶ୍ନ ଉଠାଇଛନ୍ତି । ଏହି ଘଟଣାରେ ବିଏମସି ଏବଂ ପୋଲିସର କାର୍ଯ୍ୟକଳାପକୁ ଜିଲ୍ଲା ବିଜେପି ଘୋର ନିନ୍ଦା କରିବା ସହ ସଂପୃକ୍ତ ପରିବାର ଲୋକଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିଜେପି ସେମାନଙ୍କ ସାଥୀରେ ଛିଡା ହୋଇ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉଠାଇ ଚାଲିବ ବୋଲି
ଶ୍ରୀ ସିଂ କହିଛନ୍ତି । ଏହି ପ୍ରତନିଧୀ ଦଳରେ ବିଜେପି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି ଏବଂ ଜଗନ୍ନାଥ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

Spread the love