ପରୀକ୍ଷା କେନ୍ଦ୍ର ଜଗିପାରୁନି ପୋଲିସ , ନିର୍ବାଚନ ବୁଥ କେମିତି ଜଗିବ ?

ମାଟ୍ରିକ ପରୀକ୍ଷା କେନ୍ଦ୍ରର ନଗ୍ନ ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ । ସ୍କୁଲ କାନ୍ଥ ରେ ଚଢି ଅବିଭାବକ ମାନେ କିଭଳି ଛାତ୍ରଛାତ୍ରୀ ଙ୍କୁ କପି ଯୋଗାଉଛନ୍ତି ତାର କିଛି ଫଟୋ ଏବେ ଫେସବୁକ ଓ ହ୍ଵାଟ୍ସଆପ ରେ ଘୁରି ବୁଲୁଛି । ଢେଙ୍କାନାଳ ଭୁବନ ବ୍ଲକ ପଳାଶପିଠା ପଞ୍ଚାୟତରାଜ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ ମଧ୍ୟରେ ପ୍ରଶ୍ନପତ୍ର ବାହାରକୁ ଆସିବା ସହ ପରୀକ୍ଷାକେନ୍ଦ୍ର ଭିତରକୁ ବହି ଓ ଟେଷ୍ଟପେପର ପଠାଯିବା ଦୃଶ୍ୟ ସୁରକ୍ଷା ବ୍ୟବସ୍ଥା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛି ।

ସୂଚନାଯୋଗ୍ୟ ମାଟ୍ରିକ ପରୀକ୍ଷା କୁ ସୁଚାରୁରୂପେ ସମ୍ପାଦନ ପାଇଁ ପୋଲିସ୍‌ ମହାନିର୍ଦ୍ଦେଶକ ଡ଼ଃ ରାଜେନ୍ଦ୍ର ପ୍ରସାଦ ଶର୍ମା ବିଶେଷ ଭାବେ ଆଲୋକପାତ କହିଥିଲେ । ପରୀକ୍ଷା ସମ୍ବନ୍ଧିତ ବେଆଇନ୍‌ କାର୍ଯ୍ୟ ଧର୍ତ୍ତବ୍ୟ ଏବଂ ଜାମିନ ବିହୀନ ଅପରାଧ ବୋଲି ଚେତାବନୀ ଦେଇଥିଲେ ।

ଏପ୍ରକାର ଅପରାଧର ନିରୋଧ ପାଇଁ ସେଣ୍ଟରୱାରୀ ଆବଶ୍ୟକୀୟ ପୋଲିସ୍‌ ମୁତୟନ କରିବା ପାଇଁ ଡ଼ଃ ଶର୍ମା ଏସ୍‌.ପି. ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଶ୍ନପତ୍ର ଏବଂ ଉତ୍ତରଖାତା ପରିବହନ ସମୟରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ଏସ୍‌.ପି. ମାନଙ୍କୁ ତାଗିଦ କରିଥିଲେ ଡିଜିପି ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା ।

ସେହିପରି କପି ବନ୍ଦ ପାଇଁ ବାଳକ ଓ ବାଳିକା ମାନଙ୍କୁ ପୃଥକ ପୃଥକ ଭାବେ କଡା ଯାଞ୍ଚ୍‌ କରାଯିବାର ଯୋଜନା ହୋଇଥିଲା । ପରୀକ୍ଷାର ନିରୀକ୍ଷଣ ପାଇଁ ୫୮ଟି ଫ୍ଲାଇଂ ସ୍କାର୍ଡ, ୪୪ଟି ସ୍ବତନ୍ତ୍ର ସ୍କାର୍ଡ ଏବଂ ୬ଟି ଜୋନାଲ୍‌ ସ୍କାର୍ଡ ଗଠନ କରାଯାଇଥିଲା । ଆବଶ୍ୟକତା ଅନୁସାରେ ପରୀକ୍ଷା କେନ୍ଦ୍ର ଅଂଚଳରେ ୧୪୪ ଧାରା ଲାଗୁ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

କିନ୍ତୁ ଏତେ ସବୁ ସୁରକ୍ଷା ବଳୟ କୁ ଭେଦ କରି କିଭଳି ଏତେ ଅବ୍ୟବସ୍ଥା ହେଲା ସେ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ସାମାନ୍ୟ ପରୀକ୍ଷା କେନ୍ଦ୍ର କୁ ସୁରକ୍ଷା ଦେଇପାରୁନଥିବା ଓଡିଶା ପୋଲିସ କିଭଳି ଭାବେ ଆଗାମୀ ସାଧାରଣ ନିର୍ବାଚନରେ ବୁଥ କୁ ସୁରକ୍ଷା ଦେବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସିସିଟିଭି ଲାଗିବା ସତ୍ତ୍ୱେ ମଧ୍ୟ କପି ରୋକାଯାଇ ପାରୁନଥିବା ବେଳେ ବୁଥ ଜବରଦଖଲ କିଭଳି ରୋକାଯିବ ତାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି ।

Spread the love