3% ବଢ଼ାଇଲେ ମହଙ୍ଗା ଭତ୍ତା : 2019 ଜାନୁଆରିରୁ ପିଛିଲା ଭାବେ ଲାଗୁ

ନିର୍ବାଚନ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ଖୁସି କରିଛନ୍ତି। ସୋମବାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ 3% ବୃଦ୍ଧି କରିଛନ୍ତି।ଏହାଦ୍ବାରା ସାଢ଼େ ତିନି ଲକ୍ଷ ସରକାରୀ କର୍ମଚାରୀ ଓ ପାଖାପାଖି 4 ଲକ୍ଷ ପେନସନଭୋଗୀ ଉପକୃତ ହେବେ। ବର୍ଦ୍ଧିତ ମହଙ୍ଗାଭତ୍ତା ପିଛିଲା ଭାବେ ଏଇବର୍ଷ ଜାନୁଆରିରୁ ଲାଗୁ ହେବ। ପୂର୍ବରୁ ମହଙ୍ଗାଭତ୍ତା 9% ବୃଦ୍ଧି ହୋଇଥିଲା।

ଆଜିର ବୃଦ୍ଧି ଯୋଗୁଁ କର୍ମଚାରୀଙ୍କ ମୋଟ ମହଙ୍ଗାଭତ୍ତା 12%ରେ ପହଞ୍ଚିଛି। ସେହିପରି ପେନସନଭୋଗୀଙ୍କ ପାଇଁ ବାର୍ଷିକ ଅସ୍ଥାୟୀ ବୃଦ୍ଧିକୁ ବଢ଼ାଇବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମହଙ୍ଗା ଭତ୍ତା ବୃଦ୍ଧି ଯୋଗୁଁ ସରକାର ମାସିକ 75 କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ଭାର ବହନ କରିବେ। ମହଙ୍ଗାଭତ୍ତା ବୃଦ୍ଧି ପରେ ବିଭିନ୍ନ କର୍ମଚାରୀ ସଂଗଠନ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାସହିତ ସଚିବାଳୟ ସେବା ସଂଘ ଜଣାଇଛି ସପ୍ତମ ବେତନ କମିସନ ଲାଗୁ ହେବା ପରେ ପୂର୍ବରୁ କର୍ମଚାରୀଙ୍କ ବକେୟା ଦରମା ବାବଦରେ 40% ସରକାର ଦେଇଥିଲେ। ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ବାକି 60% ବକେୟା ଦରମା ଦେବାକୁ ସରକାର କହିଥିଲେ। କିନ୍ତୁ ତାକୁ ଏ ଯାଏ ସରକାର ପୂରଣ କରିନାହାନ୍ତି।

Spread the love