ବିଜେଡିକୁ ବଦନାମ ପାଇଁ ଚାଲିଛି ଷଡଯନ୍ତ୍ର – ଶସ୍ମିତ ପାତ୍ର

ବିଜେଡ଼ିକୁ ବଦନାମ କରିବାପାଇଁ ହୋଇଛି ସାଙ୍ଘାତିକ ଷଡଯନ୍ତ୍ର । କେତେବେଳେ ଦଳୀୟ ନେତା ଓ ସୁପ୍ରିମୋଙ୍କୁ ଅଯଥାରେ ବଦନାମ କରାଯାଉଛି ତ ଆଉ କେତେବେଳେ ଦଳରେ ଅସନ୍ତୋଷ ସୃଷ୍ଟି କରିବାପାଇଁ ଟିକଟ କଟିବାର ଭୟ ଫେକ ନିଉଜ ମାଧ୍ୟମରେ ପ୍ରଚାର ଓ ପ୍ରସାର କରାଯାଉଛି । ଆଉ ଏହି ଷଡଯନ୍ତ୍ର ପଛରେ ଡିପି ନାମଧାରୀ ଜଣେ ବିରୋଧୀଦଳର ନେତା ଏପରି ଷଡଯନ୍ତ୍ର ରଚିଥିବା ଅଭିଯୋଗ କରିଛି ବିଜେଡି । ବିଜେଡି ମୁଖପାତ୍ର ଶସ୍ମିତ ପାତ୍ର ଅଭିଯୋଗ କରିଛନ୍ତି ଯେ, ବିରୋଧୀମାନଙ୍କୁ ବିଜେଡିର ଲୋକପ୍ରିୟତା ଓ ପରାଜୟ ଭୟ ଘାରିଥିବାରୁ ବିଜେଡ଼ିକୁ ରୀତିମତ ବଦନାମ କରିବାପାଇଁ ଜାତୀୟଦଳ ବିଜେପି ଏହି ଷଡଯନ୍ତ୍ର ପଛରେ ରହିଛି ।

କେତବେଳେ ଦଳର ସଙ୍ଗଠନକୁ ମଜଭୁତ କରିଥିବା ନେତାମାନଙ୍କୁ ଲୋକ ଲଗାଇ ବଦନାମ କରାଯାଉଛି ତ ଆଉ କେତେବେଳ ଚିଟଫଣ୍ଡ ନାଁରେ ଦଳକୁ ବଦନାମ କରାଯାଉଛି । କେବଳ ସେତିକି ନୁହେଁ ନିର୍ବାଚନ ସମୟ ପାଖେଇ ଆସୁଥିବାରୁ ଦଳ ଭିତରେ ଫାଟସୃଷ୍ଟି କରିବାପାଇଁ ଜାତୀୟଦଳର କୁଚକ୍ରୀ ନେତାମାନେ ଲାଗିପଡିଛନ୍ତି । ଯାହାର ଉଦାହରଣ ହେଉଛି ବିଜେଡିର ଦଳୀୟ ଟିକେଟ ସମ୍ବଦ୍ଧରେ ପ୍ରଚାର କରାଯାଉଥିବା ଫେକ ନିଉଜ ବୋଲି ବିଜେଡି ମୁଖପାତ୍ର ଶସ୍ମିତ ପାତ୍ର କହିଛନ୍ତି ।
ସେପଟେ ବିଜେଡିର ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦୁଇ ଜାତୀୟ ଦଳର ନେତା । କଂଗ୍ରେସ ନେତା ତାରାପ୍ରସାଦ ବାହିନପତି କହିଛନ୍ତି ଯେ, ବିଜେଡି  ବିରୋଧରେ  ଏହି ଷଡଯନ୍ତ୍ର ନୁହେଁ ବରଂ ନବୀନ ନିବାସରୁ ଆସିଛି ଏହି ଷଡଯନ୍ତ୍ର । ସେହିପରି ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ ବିଜେଡ଼ିକୁ ଏବେ ବିଜେପି ଭୁତଲାଗିଛି । ବିଜେପି ଏକ ଜାତୀୟ ଦଳ, ସେ ବିଜେଡ଼ିକୁ କାହିଁକି ବଦନାମ କରିବ ।

Spread the love