300 ଆତଙ୍କବାଦୀ ମୃତ, ଦେଖନ୍ତୁ ଆକ୍ରମଣର ଭିଡିଓ; ଗୁଜରାଟ, ମାଲିୟା, ଅହମ୍ମଦାବାଦ, ପଞ୍ଜାବରେ ହାଇଆଲର୍ଟ ଜାରି

ଭାରତୀୟ ବାୟୁସେନା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ନିୟନ୍ତ୍ରଣ ରେଖା ନିକଟରେ ଥିବା ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ଶିବିରରେ ଉପରେ ମଙ୍ଗଳବାର ଭୋର୍‌ 21 ମିନିଟ ଧରି ବୋମାମାଡ଼ କରିଛି ବାୟୁସେନାର 12 ମିରେଜ୍‌-2000 ଯୁଦ୍ଧବିମାନ। ଏଥିରେ 300 ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ବାୟୁସେନାର ଏଭଳି କାର୍ଯ୍ୟକୁ ଦେଶବ୍ୟାପି ସମସ୍ତ ରାଜନେତା ପ୍ରଶଂସା କରିଛନ୍ତି।

ପୁଲ୍‌ୱାମା ଆକ୍ରମଣର 12 ଦିନ ପରେ ଆଜି ଭୋର ପ୍ରତିଶୋଧ ନେଇଛନ୍ତି ଭାରତୀୟ ସେନା। ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଜୈଶ୍‌-ଇ-ମହମ୍ମଦର ଆତଙ୍କୀ କ୍ୟାମ୍ପଗୁଡ଼ିକ ଉପରେ ଯୋଜନାବଦ୍ଧ ଭାବରେ 1 ହଜାର କେଜି ଓଜନର ବୋମା ବର୍ଷଣ କରାଯାଇଥିବାବେଳେ ଏଥିରେ 300 ଆତଙ୍କୀ ନିପାତ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାଯାଇଛି। ଏହି ଘଟଣା ପରେ ଏବେ ସୀମାରେ ହାଇ ଆଲର୍ଟ ଜାରି କରାଯାଇଥିବା ଜଣାଯାଇଛି।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅନ୍ତର୍ଜାତୀୟ ସୀମାରେ ନିୟୋଜିତ ବିଏସ୍‌ଫ୍‌ ଯବାନଙ୍କୁ କୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଆଲର୍ଟ କରାଯାଇଛି। ସେହିଭଳି ପଞ୍ଜାବର ସୀମାବର୍ତ୍ତି ଅଞ୍ଚଳରେ ମଧ୍ୟ ଆଲର୍ଟ ଜାରି କରାଯାଇଛି। ପାକିସ୍ତାନ ପଟୁ ଯେକୌଣସି ପ୍ରତିକ୍ରିୟା ପାଇଁ ଭାରତୀୟ ସେନା ପ୍ରସ୍ତୁତ ରହିଥିବା ଜଣାଯାଇଛି।

ସେପଟେ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରକ୍ଷା କ୍ୟାବିନେଟ୍‌ କମିଟିର ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି। ଏଥିରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ, ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଲା ସୀତାରମଣ ଯୋଗ ଦେଇଥିଲେ। ଏହା ପୂର୍ବରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମୋଦିଙ୍କୁ ଏହି ଆକ୍ରମଣର ପୂରା ସୂଚନା ଦେଇଥିଲେ।

ସେହିଭଳି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେସି ମଧ୍ୟ ଏକ ଜରୁରୀକାଳୀନ ଡାକିଛନ୍ତି। ଏହି ବୈଠକ ଇସଲାମାବାଦଠାରେ ହୋଇଥିବା ଜଣାଯାଇଛି। ପାକିସ୍ତାନ ଯୁଦ୍ଧବିମାନ ଏଫ୍‌16 ମଧ୍ୟ ଏହି ଆକ୍ରମଣକୁ ପ୍ରତିରୋଧ କରିବାକୁ ଆସିଥିଲେ ହେଁ, ଭାରତର ଘନଘନ ଆକ୍ରମଣରେ ପଛଘୁଞ୍ଚା ଦେଇଥିବା ଜଣାଯାଇଛି।

Spread the love