ହାଇଦ୍ରାବାଦରେ ଓଡିଆ ଶ୍ରମିକଙ୍କ ବନ୍ଧକ ଘଟଣା – ସହାୟତାର ହାତ ବଢାଇଲେ ଆଇନମନ୍ତ୍ରୀ

ଅନୁଗୁଳ,(ବିକାଶ ଚନ୍ଦ୍ର ସାହୁ ) :  ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ମାଟିଆ ସାହି ଗ୍ରାମ ପଞ୍ଚାୟତରୁ ୧୭ ଜଣ ଶ୍ରମିକ ସୁଦୂର ହାଇଦ୍ରାବାଦକୁ ଇଟା ଭାଟିରେ କାମ କରିବା ପାଇଁ ଯାଇଥିଲେ ।
ଜନୈକ ଦଲାଲ ସାହଯ୍ୟରେ ପ୍ରଥମେ ସେମାନେ ବଲାଙ୍ଗିର କଣ୍ଟାବଞ୍ଜିରେ ପହଞ୍ଚି ସେଠାରୁ ଚଳିତ ବର୍ଷ ଜାନୁୟାରୀ ୪ ତାରିଖରେ ହାଇଦ୍ରାବାଦ ଯାଇଥିଲେ ।
ସେଠାରେ ଗୋଟିଏ ସପ୍ତାହ କାମ କରିବା ପରେ ଇଟାଭାଟି ମାଲିକଙ୍କର ନିର୍ଯ୍ୟାତନାରେ ଶିକାର ହୋଇଥିଲେ । ସେମାନଙ୍କୁ ସଠିକ୍ ପାଉଣା ନ ଦେବା ସହ ଖାଇବାକୁ ମଧ୍ୟ ଦିଆଯାଉ ନଥିଲା । ଶ୍ରମିକ ମାନେ ପ୍ରତ୍ୟାବର୍ତ୍ତନ ପାଇଁ କହିବାରୁ ସେମାନଙ୍କୁ ମାଲିକ ଜବର ଦସ୍ତ ବନ୍ଧକ ସୂତ୍ରରେ ରଖିବା ସହ ଧମକ ଚମକ ଦେଉଥିଲେ । ପ୍ରତିବାଦ କଲେ ମାଡ ଓ ଗାଳି ଗୁଲଜ କରୁଥିଲେ ।
ସେଠାରୁ କୌଶଳ କ୍ରମେ ଖସି ଆସିଥିବା ଶ୍ରମିକ ଗଗନ ବେହେରା ଓ ତାର ସ୍ତ୍ରୀ ଚଳିତ ମାସ ୨୩ ତାରିଖରେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ,ଆଇନ,ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅନୁଗୁଳ ସର୍କିଟ ହାଉସ ଠାରେ ସାକ୍ଷାତ୍ କରି ଏହି ନିର୍ଯ୍ୟାତନା ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ ।
ସ୍ଥାନୀୟ ସରପଞ୍ଚ ସହଦେବ ବେହେରାଙ୍କ ନେତୃତ୍ୱରେ ବନ୍ଧକ ଶ୍ରମିକ ପରିବାରର ସଦସ୍ୟ ମାନେ ଉଦ୍ଧାର ନିମନ୍ତେ ମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ବନ୍ଧକ ଶ୍ରମିକ ମାନେ କିପରି ସୁରକ୍ଷିତ ଭାବେ ନିଜ ଘରେ ପହଞ୍ଚିବେ ସେଥିପାଇଁ ମନ୍ତ୍ରୀ ତେଲେଙ୍ଗାନା ରାଷ୍ଟ୍ର ସମିତିର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ଓ ଡି.ଜି.ଙ୍କୁ ନିବେଦନ କରିଥିଲେ । ଏହି ଶ୍ରମିକ ମାନଙ୍କୁ ଖୁବ୍ ଶିଘ୍ର ଉଦ୍ଧାର କରାଯାଇ ସେମାନଙ୍କ ନିଜ ଘରକୁ ପଠାଇ ଦିଆଯିବ ବୋଲି ତେଲେଙ୍ଗାନାର ଡି.ଜି ମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ସମସ୍ତ ଶ୍ରମିକ ହେଉଛନ୍ତି ମାଟିଆ ସାହି ପଞ୍ଚାୟତର ବରଡସାହି ଗ୍ରାମର ଅନୂସୂଚୀତ ଜାତି ବର୍ଗର ଗୋଟିଏ ସମ୍ପ୍ରଦାୟର । ଗଗନ ବେହେରା ଓ ତାର ପରିବାର ସହ ଦେହ ଖରାପ ଅଛି କହି ଡାକ୍ତରଙ୍କୁ ଦେଖା କରି ଜଣେ ଓଡିଆଙ୍କ ସହାୟତାରେ ଟିକେଟ କରି କୌଶଳକ୍ରମେ ସେଠାରୁ ଖସି ଆସିଥିଲେ । ଅବଶିଷ୍ଟ ୪ ଜଣ ଶିଶୁଙ୍କ ସମେତ ମହିଳା ଓ ପୁରୁଷ ମିଶି ୧୪ ଜଣ ସେଠାରେ ବନ୍ଧକ ଥିଲେ ।
ଗତ କାଲି ରାତି ୧୧ ଘଟିକାରେ ୧୨ ଜଣ ଶ୍ରମିକ ବଲାଙ୍ଗିର ରେଲୱେ ଷ୍ଟେସନରେ ପହଞ୍ଚି ନିଜ ସମ୍ପର୍କୀୟଙ୍କ ଘରେ ଅଛନ୍ତି । ଏହି ଶ୍ରମିକ ମାନେ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରିବା ନିମନ୍ତେ ନିବେଦନ କରିଛନ୍ତି । ରହି ଯାଇଥିବା ୨ ଜଣ ବନ୍ଧୁଆ ବେହରା ଓ ଯମୁନା ବେହେରା ଦମ୍ପତ୍ତିଙ୍କୁ ଉଦ୍ଧାର ନିମନ୍ତେ ତେଲେଙ୍ଗାନା ଡି.ଜିଙ୍କ ସହ ଯୋଗାଯୋଗ ଜାରି ରହିଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।
Spread the love