‘ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା’

ଭୁବନେଶ୍ୱର, ତା.୧୯/୦୯: ଗତ କାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇ ୱେବିନାର ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟର ୨ଟି ବୁଦ୍ଧିଜୀବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ସମାଜର ପ୍ରମୁଖ ବୁଦ୍ଧିଜୀବୀ ଓ ପ୍ରବୃଦ୍ଧ ନାଗରିକମାନେ ଯୋଗଦାନ କରି ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ନିରାମୟ ଓ ଦୀର୍ଘଜୀବନ କାମନା କରିଛନ୍ତି। ଗତ କାଲି ପ୍ରଥମ ଦିନର ସମ୍ମିଳନୀରେ ରାଜ୍ୟର ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ବରଗଡ, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ, ମୟୁରଭଂଜ ଓ ଢେଙ୍କାନାଳ ପ୍ରମୁଖ ୯ଟି ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରମୁଖ ବୁଦ୍ଧିଜୀବୀ,ନାଗରିକ, ବ୍ୟକ୍ତିବିଶେଷମାନେ ଉପସ୍ଥିତ ରହି ମାନନୀୟ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ, ନେତୃତ୍ୱ ଏବଂ କର୍ତୃତ୍ୱକୁ ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ଶିକ୍ଷାବିତ୍ ତଥା ପୂର୍ବକ୍ଷେତ୍ର ବିଦ୍ୟାଭାରତୀ ସଭାପତି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡା.ବାଂଚାନିଧି ପଣ୍ଡା ପ୍ରଧାନମନ୍ତ୍ରୀ  ମୋଦିଙ୍କୁ ପ୍ରକୃତ ରାଷ୍ଟ୍ରନାୟକ ବୋଲି ସମ୍ବୋଧନ କରିଥିଲେ । “ସବ୍‌କା ସାଥ୍‌, ସବ୍‌କା ବିକାଶ ଓ ସବ୍‌କା ବିଶ୍ୱାସ”କୁ ପାଥେୟ କରି ପ୍ରଧାନ ସେବକ ଭାବେ ଗତ ୬ ବର୍ଷ ମଧ୍ୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତବର୍ଷକୁ ବିଶ୍ୱ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି। “ମନ୍‌କି ବାତ୍‌” କାର୍ଯ୍ୟକ୍ରମ ଦ୍ୱାରା ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ଦେଶବାସୀଙ୍କ ସହ ଯୋଡି ହୋଇ ରହିବାର ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ ।

ଦେଶର ବହୁ ଜନ ଓ ଗରୀବକଲ୍ୟାଣ ଯୋଜନାର ଶୁଭାରମ୍ଭଠୁ ଆରମ୍ଭ କରି ଦେଶ ହିତ ଏବଂ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ କଠୋର ଓ ଦୃଢ ନିଷ୍ପତିକୁ ବିସ୍ତୃତ ଭାବେ ଡା.ପଣ୍ଡା ଆଲୋଚନା କରିଥିଲେ। ରାଷ୍ଟ୍ର ସେବାରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯେଉଁ ଭଳି ନିଜ ସମଗ୍ର ଜୀବନକୁ ସମର୍ପିତ କରିଛନ୍ତି, ତାହା ସମସ୍ତ ଦେଶବାସୀଙ୍କୁ ପ୍ରେରଣା ଯୋଗାଇଛି ବୋଲି ଡା.ପଣ୍ଡା କହିଛନ୍ତି। ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଅଧ୍ୟକ୍ଷତା କରିଥିବାବେଳେ ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ସ୍ୱାଗତ ଜଣାଇଥିଲେ ଏବଂ ଅନ୍ୟତମ ରାଜ୍ୟ ଉପସଭାପତି ବିଧାୟକ ନାଉରୀ ନାଏକ ଧନ୍ୟବାଦ ଜଣାଇଥିଲେ। ଆଜିର ଦ୍ୱିତୀୟ ଦିନର ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଏବଂ ସୁନାମଧନ୍ୟ ସାମ୍ବାଦିକ ଶ୍ରୀ ରାଜାରାମ ଶତପଥୀ ଯୋଗ ଦେଇଥିଲେ।ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଭୂବନେଶ୍ୱର, ପୁରୀ, ଆସ୍କା, ଗଂଜାମ ଓ କନ୍ଧମାଳ ପ୍ରମୁଖ ୧୨ଟି ଲୋକସଭା ନିର୍ବାଚନମଣ୍ଡଳୀର ବୁଦ୍ଧିଜୀବୀ, ନାଗରିକ ଓ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳା ଯୋଜନା, ଆୟୁଷ୍ମାନ ଭାରତ ଯୋଜନା, ମୁଦ୍ରା ଯୋଜନା, କୋଭିଡ୍‌-୧୯ ସମୟରେ ଗରୀବକଲ୍ୟାଣ ଯୋଜନାର ସଫଳ କାର୍ଯ୍ୟକାରୀତା କାରଣରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାଧାରଣ ଜନତାଙ୍କ ଆସ୍ଥାଭାଜନ ହୋଇଛନ୍ତି। ସେହିପରି ବର୍ଷ ବର୍ଷ ଧରି ଲାଗି ବିବାଦ ହୋଇ ରହିଥିବା ଧାରା ୩୭୦ ଉଚ୍ଛେଦ, ଟ୍ରିପଲ ତଲାକ ବ୍ୟବସ୍ଥା ଉଚ୍ଛେଦ, ଜାମ୍ମୁ କାଶ୍ମୀର ଓ ଲଦ୍ଦାଖକୁ ପୃଥକ ରାଜ୍ୟ ଘୋଷଣା, ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ବିବାଦର ସୁସମାଧାନ କରି ଦେଶବାସୀଙ୍କ ମନ ଭିତରେ ଆଶାର ସଂଚାର ସୃଷ୍ଟି କରିଛନ୍ତି। ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ବର୍ତମାନ ଦେଶର ବିକାଶ ପାଇଁ ଏକ ନୂତନ ବାର୍ତା ସାଜିଛି। ସେହିପରି ଯୋଗକୁ ଆନ୍ତର୍ଜାତିକ ସ୍ତରରେ ପହଂଚାଇ ଦେଶବାସୀଙ୍କୁ ଗର୍ବାନ୍ୱିତ କରିଛନ୍ତି। ଆନ୍ତର୍ଜାତିକ ସ୍ତରରେ ଆଜି ପ୍ରତ୍ୟେକ ଦେଶବାସୀ ନିଜକୁ ଗର୍ବର ସହ ଭାରତୀୟ ବୋଲି ପରିଚୟ ଦେଇପାରୁଛି। ବିଶ୍ୱର ବିଭିନ୍ନ କ୍ଷେତ୍ରରେ ଭାରତବର୍ଷର ସୁନାମ ଓ ସମ୍ମାନ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ବିଚାର ମୂଳରେ ଭାରତୀୟତା ଦୃଷ୍ଟିକୋଣ ପ୍ରତିଫଳିତ ହୁଏ ବୋଲି ଆଜିର ସମ୍ମିଳନୀରେ ମୁଖବକ୍ତା ଶ୍ରୀ ଶତପଥୀ ଉଦ୍‌ବୋଧନ ଦେଇ କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶୀନି ଅଧ୍ୟକ୍ଷତା କରିଥିବାବେଳେ ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟତମ ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ ଶେଷରେ ଧନ୍ୟବାଦ ଜଣାଇଥିଲେ। ସେବା ସପ୍ତାହର ଶେଷ ଦିନ ଆସନ୍ତା କାଲି ସ୍ୱଚ୍ଛଭାରତ ଅଭିଯାନକ୍ରମେ ରାଜ୍ୟର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ।

Spread the love