ଚାଷୀ ଋଣ ଟଙ୍କା ହଡ଼ପ୍‌

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ) :   ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବିରୁ ପଞ୍ଚାୟତର ଚାଷୀମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କାର କୃଷି ଋଣ ଅର୍ଥ ହଡ଼ପ କରିନିଆଯାଇଛି।  ଜଣେ ଅଧେ ନୁହେଁ, ଶତାଧିକ ଚାଷୀଙ୍କ କୃଷିଋଣ ଅର୍ଥ ହଡ଼ପ କରିନିଆଯାଇଥିବା‌ ଭଳି ସାଂଘାତିକ ଅଭିଯୋଗ ହୋଇଛି।  ଚାଷୀମାନେ ୨୦୧୭-୧୮ ଆର୍ଥିକ ବର୍ଷରେ ଋଣ ଆଣିବା ପାଇଁ ପରାବିଲ  ପ୍ରାଥମିକ କୃଷି ସେବା ସମବାୟ ସମିତିକୁ ଯାଇଥି‌ଲେ।
ବାରଂବାର ଦୌଡ଼ିବା ପରେ ସେମାନଙ୍କୁ ଋଣ ‌ଦିଆଯିବ ବୋଲି ସମବାୟ ସମିତିର ସଂପାଦକ  କୃଷ୍ଣ ପ୍ରଧାନ, ଘନଶ୍ୟାମ ବୈଦ୍ୟ, ମୀନା ବେହେରା ପ୍ରମୁଖ କହିଥିଲେ। କିଛିଦିନ ପରେ ଚାଷୀମାନଙ୍କୁ ସମବାୟ ସମିତିକୁ ଡାକି ମୁଣ୍ଡାବହିରେ ଦସ୍ତଖତ କରାଇ ନେଇଥିଲେ। କିନ୍ତୁ ଦସ୍ତଖତ ପରେ ସେଠାକାର ସମବାୟ ବ୍ୟାଙ୍କକୁ ଯିବାରୁ କର୍ମଚାରୀ କହିଥିଲେ, ଆଜି ଟଙ୍କା ନାହିଁ। ଟଙ୍କା ଆସିଲା ପରେ  ତୁମ ପାଖରେ ପହଞ୍ଚାଇ ଦିଆଯିବ। ମୀନା ବେହେରା ଏହାର ଏକ ସପ୍ତାହ ପରେ ଚାଷୀମାନଙ୍କ ଘର ଘର ବୁଲି କାହାକୁ ୫ ହଜାର ତ କାହାକୁ ୪ ହଜାର ଦେଇଥିଲେ।
ଆଉ  ସେମାନଙ୍କଠାରୁ ଖାଲି ଚେକ୍‌ରେ ଦସ୍ତଖତ କରାଇ ନେଇଥିଲେ। ଏପରିକି ସେମାନଙ୍କଠାରୁ ବ୍ୟାଙ୍କ ଖାତା ବି ନେଇଯାଇଥି‌ଲେ ବୋଲି ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଆଜି ଅଭିଯୋଗ କରିଛନ୍ତି। ଋଣୀ ଚାଷୀମାନଙ୍କଠାରୁ  ନେଇଥିବା  ଖାତା ଆଉ ଫେରାଇ ନଥିଲେ।  ପାଖାପାଖି ଏକ ବର୍ଷ ବିତିବା ପରେ ଚାଷୀମାନେ ବାରଂବାର ସମବାୟ ସମିତିକୁ ଦୌଡ଼ିଥିଲେ। ଏହା ପରେ ଚାପରେ ଆସି କିଛିଦିନ ତଳେ ସେମାନେ ବ୍ୟାଙ୍କ ଖାତା ଫେରାଇଛନ୍ତି। ବ୍ୟାଙ୍କ ଖାତାକୁ ନେଇ ପ୍ରିଣ୍ଟ କଲା ପରେ କାହା ଖାତାରେ ୫୦ ହଜାର ଋଣ ତ ଆଉ କାହା ଖାତାରେ ୬୦ ହଜାର  ଟଙ୍କା ଋଣ ରହିଛି। ତେବେ ଏବେ କାହାର ବ୍ୟାଙ୍କ ଖାତାରେ ୬ ହଜାର ତ ଆଉ କାହାର ଖାତାରେ  ୭ ହଜାର ଟଙ୍କା ‌ମାତ୍ର ରହିଛି। 
ବଳକା ଋଣ ଅର୍ଥ ଆତ୍ମସାତ କରିଥିବା ଚାଷୀମାନେ  ଆଜି  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଛନ୍ତି।  ସିପି ଜାଲ, ଅମିତ ଜାଲ, ରଶ୍ମିତା ଉଦାବର, ପଦ୍ମିନୀ ସେଠୀ, ବିପିନି ସାହୁ, କବିତା ପ୍ରଧାନ, ବବି ନାୟକ, ସୁଷମା ସେଠୀ, ଦିବାକର ସେଠୀ, ସନ୍ତୋଷ ମୁଦୁଲି, ଚଉବନ ବେହେରାଙ୍କ ସମେତ ବହୁ ଋଣୀ ଚାଷୀ ଆସି ଦାବିପତ୍ର ଦେଇଥିଲେ।   ୨୦୧୬-୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷରେ  ପ୍ରାୟ ୩ ଶହ ଜଣ ଚାଷୀଙ୍କ ଋଣ ଖାତାରୁ ଟଙ୍କା ହଡ଼ପ ହୋଇଥିବା ଏହି ଚାଷୀମାନେ କହିଛନ୍ତି।
Spread the love