ପଞ୍ଚଭୂତରେ ଲିନହେଲେ ପ୍ରଦୀପ ମହାରଥୀ

ଭୁବନେଶ୍ୱର, ୪/୧୦: ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ପୁରୀର ସ୍ବର୍ଗଦ୍ବାରରେ ସଂପନ୍ନ ହୋଇଛି। ପଞ୍ଚଭୂତରେ ଲୀନ ହୋଇଛି ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀର। ପୁତ୍ର ରୁଦ୍ର ପ୍ରତାପ ପିତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଏହାପୂର୍ବରୁ ଡାକ୍ତରଖାନାରୁ ଆଜି ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଧାନସଭା ପରିସରକୁ ନିଆଯାଇଥିଲା । ବିଭିନ୍ନ ରାଜନୈତିକ ଦଳର ନେତା ଦିବଂଗତ ମହାରଥୀଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ । ଏହା ପରେ ପାର୍ଥିବ ଶରୀର ବିଜେଡି ପାର୍ଟି ଅଫିସକୁ ନିଆଯାଇଥିଲା । ଦଳୀୟ କର୍ମୀ ଓ ନେତା ସେଠାରେ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ପୈତୃକ ଗାଁକୁ ତାଙ୍କ ପାର୍ଥିବ ଶରୀରକୁ ନିଆଯାଇଥିଲା। ପୈତୃକ ଗାଁରେ ଶେଷ ଦର୍ଶନ ପରେ ଶେଷ କୃତ୍ୟ ପାଇଁ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ନିଆଯାଇଥିଲା ମହାରଥୀଙ୍କ ମରଶରୀର। ଏଠାରେ ବହୁ ରାଜନେତା ଓ ଦଳୀୟ କର୍ମୀ ଉପସ୍ଥିତ ଥିବା ଜଣାଯାଇଛି।

ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ପ୍ରଦୀପ ମହାରଥୀଙ୍କ ନିଧନରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ମହାରଥୀଙ୍କ ବିୟୋଗ ରାଜ୍ୟ ରାଜନୀତିର ଅପୂରଣୀୟ କ୍ଷତି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ମଧ୍ୟ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Spread the love