ଓଡ଼ିଆ ବିଶ୍ୱବିଦ୍ୟାଳୟର ଭାଗ୍ୟ ଫିଟୁନି, ଶିଳାନ୍ୟାସର ୨ ବର୍ଷ ପ‌ରେ ବି ଇଟା ଖଣ୍ଡେ ପଡ଼ିନି

 

ପ୍ରକାଶ ଯେ ଗତ ୨୦୧୮ ଅକ୍ଟୋବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତ୍ୟବାଦୀର ବକୁଳବନରେ ଓଡ଼ିଆ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିଥିଲେ। ବହୁ ଆଡ଼ମ୍ବରରେ ଶିଳାନ୍ୟାସ ହୋଇଥିଲା। ସତ୍ୟବାଦୀ ଗୋପୀନାଥ ଦେବଙ୍କ ଜମିରେ ଏହି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯୋଜନା ହୋଇଥିଲା। ସତ୍ୟବାଦୀ ତହସିଲ ଅନ୍ତର୍ଗତ ଫୁଲଅଳସା ମୌଜାର ୨୯ ଏକର ଜମିରେ ବିଶ୍ବବିଦ୍ୟାଳୟ ପାଇଁ ଜମି ଚିହ୍ନଟ ହୋଇଥିଲା। ଏହି ଜମିର ମାଲିକ ସତ୍ୟବାଦୀ ଗୋପୀନାଥ ଦେବ ହୋଇଥିବା ଦୃଷ୍ଟିରୁ ରାଜ୍ୟ ସରକାର ଏ ଜାଗା କିଣିବାକୁ ଦେବୋତ୍ତର କମିସିନଙ୍କୁ ଆବେଦନ କରିଥିଲେ। ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନର ଧାରା-୧୯ ମୁତାବକ, ସରକାର ଜମିକୁ କିଣିବାକୁ ଆବେଦନ କରିଥିଲେ। ଦେବୋତ୍ତର କମିସନ ମଧ୍ୟ ଏହାର ବିଚାର କରି ମୋଟ ଜମିର ବଜାର ଦରରେ ଜମିର ମୂଲ୍ୟ ୩୫କୋଟି ଟଙ୍କା ଧାର୍ଯ୍ୟ କରିଥିଲେ। ଜମିର ଦର ଧାର୍ଯ୍ୟ ହେବା ପରେ ଦେବୋତ୍ତର କମିସନର ଜମି ବିକ୍ରି ପାଇଁ ଗୋପୀନାଥ ଦେବ ଏଣ୍ଡାମେଣ୍ଟ୍ ଟ୍ରଷ୍ଟ ବୋର୍ଡକୁ ଅନୁମତି ଦେଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ପ୍ରସ୍ତାବିତ ୨୯ ଏକର ମଧ୍ୟରୁ ବକୁଳ ବନ ଥିବା ୧୯ ଏକର ୧୪ ଡେସିମିଲ ଜମିକୁ ବାଦ ଦିଆଯାଇ ଅବଶିଷ୍ଟ ଜମି କିଣାଯାଇଛି। ରାଜ୍ୟ ସରକାର ଗତବର୍ଷ ଶ୍ରୀଗୋପୀନାଥ ଦେବ ଟ୍ରଷ୍ଟ ବୋର୍ଡଠାରୁ ୯ ଏକର ୬୦ ଡେସିମିଲ ଜମି କିଣିଥିଲେ। ଏଥିପାଇଁ ସତ୍ୟବାଦୀ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଚୁକ୍ତପତ୍ର ସଂପନ୍ନ ହୋଇଥିଲା। ସରକାର ଜମିର ମୂଲ୍ୟ ବାବଦକୁ ୧୧ ‌କୋଟି ୩୩ଲକ୍ଷ ୫୮ ହଜାର ଟଙ୍କା ଗୋପୀନାଥଙ୍କ ଦେବ ଟ୍ରଷ୍ଟଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଜମା କରିଛନ୍ତି । ଏ ସଂପର୍କରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ପଚାରିବାରେ ସେ ମଧ୍ୟ ପ୍ରକଳ୍ପରେ ଅଗ୍ରଗତି ହୋଇଛି। ଜମି ମାପଚୁପ ହୋଇଛି। ତେବେ ଆଉ କିଛଇ ଆଗେଇ ନଥିବା ସ୍ବୀକାର କରିଛନ୍ତି। ସରକାର ଏଥିପାଇଁ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି।

 

Spread the love