ଆଜି ତିର୍ତ୍ତୋଲରେ ରୋଡ୍‌ ସୋ’ କରିବେ ଧର୍ମେନ୍ଦ୍ର

ତିର୍ତ୍ତୋଲ ଉପନିର୍ବାଚନରେ ପ୍ରଚାରକୁ ଜୋର୍‌ଦାର କରିବା ପାଇଁ କେନ୍ଦ୍ର ପେଟୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମୈଦାନକୁ ଓହ୍ଲାଇବେ । ଏହି ସୂଚନା ଦେଇଛନ୍ତି ରଘୁନାଥପୁର ବ୍ଲକ୍‌ ପ୍ରଭାରୀ ତଥା କଟକ ଜିଲ୍ଲାର ବିଜେପି ସଭାପତି ଓ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା । ଏଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି ।

ହେଭିୱେଟ୍‌ ନେତା ତଥା ଷ୍ଟାର୍‌ ପ୍ରଚାରକ ଧର୍ମେନ୍ଦ୍ର ପ୍ରଧାନ ତିର୍ତ୍ତୋଲ ବ୍ଲକ୍‌ର କୃଷ୍ଣାନନ୍ଦପୁର ସାଇଫନ୍‌ ବ୍ରିଜ ନିକଟରେ ସକାଳ ୧୦ ଘଟିକାରେ ବିଜେପି ରାଲିରେ ଯୋଗଦେବେ। ସେ ମେଡିକାଲ ଛକ, ବସନ୍ତା ଛକ, ଇନ୍ଦ୍ରାଣି ଛକ, ବିଶନପୁର, କନିମୂଳ, ଶଙ୍ଖେଶ୍ୱର ହାଟ ପଡ଼ିଆ, ତିର୍ତ୍ତୋଲ ବଜାର, ଶାରଳା ରୋଡ, କନକପୁର ଦେଇ ଶାରଳା ମନ୍ଦିର ଦର୍ଶନ କରିବେ। ମୁଳିସିଂହ, ବିରଟୋଲ, ସାଅଁରା, ନାଲିବରରେ ହାଇସ୍କୁଲ ନିକଟରେ ୧୧ଟା୩୦ମିରେ ପହଞ୍ଚି ଏରଡଙ୍ଗା, ଛପଡା, ରାହାଡିଙ୍ଗା, ଜୟପୁର ବଜାର, ତାରପୁର, ରଘୁନାଥପୁର ବଜାର ପରେ ବିରିଡ଼ି ବ୍ଲକର ଶିବପୁର, କଣ୍ଟୁଆର ବଜାର, ଗଡ଼ମା ବଜାର ଦେଇ ୧ଟା ୩୦ ସମୟରେ ଅରଣା ଗ୍ରାମରେ ମଧ୍ୟାହ୍ନଭୋଜନ କରିବେ।

ପରେ ସୋମପୁର ସାଇ ମନ୍ଦିର ଦେଇ ଅଲାଣ୍ଡୋ, ବିରିଡ଼ି, ବାଲିଆଷ୍ଟୋର, ମେଦିନପୁର ବ୍ରିଜ, ପୁରଣ ହାଟ, ବସନ୍ଦରା ଗନ୍ଦି ଛକ, ଉକୁନ୍ଦରା, ଖରମଙ୍ଗା ଛକ, ପାର୍ବତୀପୁର ଆଦି ସ୍ଥାନରେ ଧର୍ମେନ୍ଦ୍ରଙ୍କ ରୋଡ ସୋ’ ହେବାର ଯୋଜନା ଅଛି ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି । ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲାପରିଷଦ ସଭ୍ୟ ଅଶୋକ ମହାରଣା, ଗୋକୁଳାନନ୍ଦ ମଲ୍ଲିକ, ଅଭିନେତ୍ରୀ ବିଦୁସ୍ମିତା ମହାନ୍ତି, ଅଭିନେତ୍ରୀ ସୋନା ମିଶ୍ର, ବିଜେପି ନେତା ଅନନ୍ତ କୁମାର ଦାସ ଉପସ୍ଥିତ ଥିଲେ ।

Spread the love