କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳବାସୀଙ୍କୁ ଭକୁଆ ବନାଉଛନ୍ତି – ବିଜେଡି

ଅନୁଗୁଳ, ବିକାଶ ଚନ୍ଦ୍ର ସାହୁ :  ତାଳଚେର ଏଫ.ସି.ଆଇ. ସାର କାରଖାନାର ଶୁଭ ଦିଆଗଲା । କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସି ଏହାର ପୁନଃରୁଦ୍ଧାର ପାଇଁ ଶୁଭ ଦେଲେ । ହେଲେ ଏଯାଏଁ ଇଟା ଖଣ୍ଡିଏ ଲାଗି ପାରିଲା ନାହିଁ । ନାଲକୋନଗରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସି ଏଲ.ଭି. ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ଉଦଘାଟନ କଲେ । ହେଲେ ଏଥିରେ ଆବଶ୍ୟକୀୟ ଯନ୍ତ୍ରପାତି ନାହିଁ କି ଡାକ୍ତର ନାହିଁ । ରୋଗୀ ଏଠାକୁ ଆସି ନିରାଶ ହୋଇ ଫେରିବାକୁ ପଡୁଛି । ଏପରି ସ୍ଥିତିରେ ଆସନ୍ତା ୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ତାଳଚେର ଆସିବା ସହ ମେଡ଼ିକାଲ କଲେଜ ଏକାଡେମୀକ ବିଲିଡିଂର ଶୁଭ ଦେବାପାଇଁ ସ୍ଥିରୀକୃତ ହୋଇଛି । ଯାହାକୁ ବିଜୁ ଜନତା ଦଳ ପକ୍ଷରୁ ନାପସନ୍ଦ କରିବା ସହ କେନ୍ଦ୍ରମନ୍ତ୍ରୀ ଅନୁଗୁଳ ତଥା ତାଳଚେରବାସୀଙ୍କୁ ଭକୁଆ ବନାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିବା ସହ ତାଳଚେର ବିଜୁ ଜନତା ଦଳ ପକ୍ଷରୁ କୁହା ଯାଇଛି ଯେ ତାଳଚେର ମେଡ଼ିକାଲ କଲେଜର ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ସରି ନାହିଁ । ଆବଶ୍ୟକୀୟ ଭିତ୍ତିଭୂମିର ବ୍ୟବସ୍ଥା କରା ଯାଇନାହିଁ । ଏହା ସହ ଏମ୍.ଓ.ୟୁ. ଅନୁସାରେ ଏମ୍.ସି.ଏଲ୍. ଏହି ମେଡିକାଲ କଲେଜକୁ ପରିଚାଳନା ଦାୟୀତ୍ୱକୁ ଏଡାଇ ଦେଉଛି । କାହା ଦାୟିତ୍ୱରେ ମେଡ଼ିକାଲ କଲେଜ ପରିଚାଳନା ହେବ ତାହା ଏପର୍ଯ୍ୟନ୍ତ ସ୍ଥିରୀକୃତ ହୋଇ ପାରି ନାହିଁ । ଏହା ସହ ଡାକ୍ତରୀ ଶିକ୍ଷା ପାଇଁ ଦରକାର ଥିବା ଉପକରଣ , ପ୍ରୟୋଗଶାଳା , ଛାତ୍ରାବାସ ଓ ପ୍ରଧ୍ୟାପକ ନିଯ଼ୁକ୍ତିର ସମ୍ପୂର୍ଣ୍ଣ ପ୍ରମାଣପତ୍ର ଏ ପର୍ଯ଼୍ୟନ୍ତ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରଦାନ କରା ଯ଼ାଇ ନାହିଁ  । ଏପରିସ୍ଥଳେ କେନ୍ଦ୍ରମନ୍ତ୍ରୀ ଏଠାକୁ ଆସି କଲେଜର ଶୁଭ ଉଦଘାଟନ କରିବା ପଛରେ କଣ ରହସ୍ୟ ରହିଛି ବୋଲି ବିଜେଡି ପକ୍ଷରୁ ପ୍ରଶ୍ନ କରାଯାଇଛି । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ କେନ୍ଦ୍ରମନ୍ତ୍ରୀ ତାଳଚେର ଏବଂ ଅନୁଗୁଳବାସୀଙ୍କୁ ଭୁଆଁ ବୁଲାଇବାକୁ ଏଭଳି ପ୍ରୟାସ କରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ତାଳଚେର ବ୍ଲକ ବିଜୁ ଜନତା ଦଳର ଉପ-ସଭାପତି ସନ୍ତୋଷ କୁମାର ପ୍ରଧାନ କହିଛନ୍ତି ।

ରାଜନୈତିକ ଅଭିସନ୍ଧି ରଖି ଆସନ୍ତା ୫ ତାରିଖରେ ମେଡିକାଲ କଲେଜର ଉଦଘାଟନ କରାଯ଼ିବ ସହ ବିଜେଡି ପକ୍ଷରୁ ଆହୁରି ମଧ୍ୟ ଅଭିଯ଼ୋଗ କରାଯ଼ାଇଛି ଯ଼େ ଉଦଘାଟନ ଉତ୍ସବକୁ ସ୍ଥାନୀୟ ସାଂସଦ ଓ ବିଧାୟକଙ୍କୁ ମଧ୍ୟ ଅନ୍ଧାରରେ ରଖା ଯ଼ାଇଛି । ଯ଼ଦି ଉଦଘାଟନ ପରେ ୨୦୧୯-୨୦ ଶିକ୍ଷା ବର୍ଷଠାରୁ ନାମଲେଖା , ପାଠପଢା ଓ ଚିକିତ୍ସା କରା ନଯ଼ାଏ ତେବେ ଆଗାମୀ ଦିନରେ ତାଳଚେର ତଥା ଓଡିଶାବାସୀ ଏହାର ଉଚିତ ଜବାବ ଦେବେ ବୋଲି ଚେତାବନୀ ଦିଆଯ଼ାଇଛି ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ତାଳଚେର ବିଜୁ ଜନତା ଦଳ ସଭାପତି ଲିପୁନା ଭୂକ୍ତା , ତାଳଚେର ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଦିଲ୍ଲିପ ପ୍ରଧାନ ,  ଜିଲ୍ଲା ଯ଼ୁବ ସାଧାରଣ ସମ୍ପାଦକ ରାଜେଶ କୁମାର ଦାସ ଆଦି ଉପସ୍ଥିତ ଥିଲେ|

ତେବେ ଏଭଳି ଅଭିଯ଼ୋଗକୁ ଭାରତୀୟ ଜନତା ପାର୍ଟୀ ପକ୍ଷରୁ ତାତ୍ସଲ୍ୟ କରା ଯ଼ାଇଛି । ରାଜ୍ୟ ସାଧାରଣ ସମ୍ପାଦକ କାଳନ୍ଦୀ ସାମଲଙ୍କ କହିବା କଥା ଆସନ୍ତା ୫ ତାରିଖରେ ମେଡିକାଲ କଲେଜ ପାଇଁ ନୀର୍ମାଣ ପାଇଁ ହୋଇଥିବା ବିଲଡିଂର ଶୁଭ ଦିଆ ଯ଼ିବ । ଯ଼ାହାକି ଶେଷ ହୋଇ ସାରିଛି । ରାଜ୍ୟ ସରକାର ମେଡିକାଲ କଲେଜ ପରିଚାଳନା ପାଇଁ ଏମ୍.ସି.ଆଇ.କୁ ଆବେଦନ କରିବା କଥା । କିନ୍ତୁ ଆଜି ଯ଼ାଏଁ କାହିଁକି କରି ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟରେ ଡାକ୍ତର ଶଙ୍କଟ ଥିବାବେଳେ ଡାକ୍ତରୀ କଲେଜର ଆବଶ୍ୟକତା ରହିଛି । ଏହି ଆବଶ୍ୟକତା ପୁରଣ ପାଇଁ ରାଜ୍ୟ ସରକାର ଆବେଦନ କରିବା କଥା । କିନ୍ତୁ କେନ୍ଦ୍ର ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ନାଁ ନେଇଯ଼ିବା ଭୟରେ ରାଜ୍ୟ ସରକାର ଆବେଦନ କରୁ ନାହାନ୍ତି ବୋଲି ସେ କହିଛନ୍ତି । ଅନ୍ୟପଟେ ଏମ୍.ସି.ଏଲ୍. ପକ୍ଷରୁ ମଧ୍ୟ କୁହା ଯ଼ାଇଛି ଯ଼େ , କେବଳ ପ୍ରସ୍ତାବିଦ ମେଡିକାଲ କଲେଜର ଏକାଡେମୀକ ବିଲିଡିଂକୁ ଦେଶ ଉଦ୍ୟେଶରେ ଉତ୍ସର୍ଗୀକୃତ କରାଯ଼ିବ ।

Spread the love