ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ଉପନିର୍ବାଚନ: ବାଲେଶ୍ୱରରେ ୭୧ %, ତିର୍ତ୍ତୋଲରେ ୬୯.୯ % ମତଦାନ

କୋଭିଡ କଟକଣାରେ ମଧ୍ୟରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ ଲୋହାନି କହିଛନ୍ତି। ମତଦାନ ସମୟରେ ସାମାଜିକ ଦୂରତାକୁ ପ୍ରଶାସନ ପ୍ରାଥମିକତା ଦିଆଯାଇଥିଲା। ସନ୍ଧ୍ୟା ୬ଟା ସୁଦ୍ଧା ମିଳିଥିବା ସୂଚନାନୁଯାୟୀ, ବାଲେଶ୍ୱର ସଦର ଆସନରେ ୭୧ ପ୍ରତିଶତ ଏବଂ ତିର୍ତ୍ତୋଲରେ ୬୯.୯ ପ୍ରତିଶତ ମତଦାନ ହୋଇଛି । ତେବେ ୬ଟା ପରେ ଦୁଇ ନିର୍ବାଚନ ମଣ୍ଡଳୀର କେତେକ ବୁଥରେ ମତଦାନ ଜାରି ରହିଥିଲା । ଯାହା ଫଳରେ ମତଦାନ ପ୍ରତିଶତର ପରିମାଣ ବୃଦ୍ଧି ପାଇପାରେ । କାଲି ଏ ନେଇ ସ୍ପଷ୍ଟ ସୂଚନା ଆସିବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଏହି ଦୁଇ ଆସନରେ ୧୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ମେସିନ ମଧ୍ୟରେ ବନ୍ଦ ହୋଇଯାଇଥିବା ବେଳେ ଆସନ୍ତା ୧୦ ତାରିଖରେ ଭୋଟ ଗଣତି ପରେ ପ୍ରକୃତ ଚିତ୍ର ସାମ୍ନାକୁ ଆସିବ ।
ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଲୋହାନି କହିଛନ୍ତି ଯେ, ଭୋଟଗ୍ରହଣ ସମୟରେ କୌଣସି ସ୍ଥାନରେ ଗଣ୍ଡଗୋଳର କୌଣସି ଖବର ଆସିନାହିଁ । ତେବେ ଆଜି ଭୋଟଗ୍ରହଣ ସମୟରେ କିଛି ସ୍ଥାନରେ ଇଭିଏମ୍ ତ୍ରୁଟି ଯୋଗୁଁ ମତଦାନରେ ସାମାନ୍ୟ ବିଳମ୍ବ ହୋଇଛି। ସେହିପରି ଅନ୍ୟ କେତେକ କାରଣ ଯୋଗୁଁ ତିର୍ତ୍ତୋଲର ୧୨୦ଟି ବୁଥ ଓ ବାଲେଶ୍ୱରର ୩୦ଟି ବୁଥରେ ମତଦାନ ବିଳମ୍ବିତ ସମୟ ଯାଏଁ ଜାରି ରହିଥିଲା । ଯାହାଫଳରେ ମତଦାନ ହାର ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତିର୍ତ୍ତୋଲର କୌଣସି ସ୍ଥାନରେ ଭୋଟ ବର୍ଜନର ଖବର ଆସିନାହିଁ। ଆଜି ଯେଉଁସବୁ ସ୍ଥାନରୁ ଅଭିଯୋଗ ଆସିଥିଲା, ଟିମ୍ ସଙ୍ଗେସଙ୍ଗେ ଯାଇ ତା’ର ଯାଞ୍ଚ କରିଥିଲେ। ତେବେ ବାଲେଶ୍ୱରରେ ପୁଲିସ୍‌ କର୍ମଚାରୀ ଚିରକୁଟି ବାଣ୍ଟୁଥିବା ଅଭିଯୋଗ ହେବା ପରେ ସଂପୃକ୍ତ ବୁଥ୍‌ରୁ ୨ କର୍ମଚାରୀଙ୍କୁ ହଟାଇ ଦିଆଯାଇଛି। ତଦନ୍ତରେ ପ୍ରମାଣ ମିଳିନଥିଲେ ମଧ୍ୟ ବିଏଲ୍ଓ ଏବଂ ଜଣେ ପୁଲିସ କର୍ମଚାରୀଙ୍କୁ ହଟାଇ ଦିଆଯାଇଥିବା ନେଇ ସେ ସୂଚନା ଦେଇଛନ୍ତି ।

Spread the love