ପିଆରଏମ ଅଧୀକ୍ଷକଙ୍କୁ ଆକ୍ରମଣ ଘଟଣା: ପୁଣି ୩ ମହିଳା ଗିରଫ
ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ଅଧୀକ୍ଷକ ଡ. ବି ଏନ୍ ମହାପାତ୍ରଙ୍କୁ ଚଳିତ ମାସ ୨ ତାରିଖରେ ଆକ୍ରମଣ ଘଟଣାରେ ଆଜି ପୁଣି ୩ଜଣ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ମହିଳାମାନେ ହେଲେ ଶୁଳିଆପଦା ଥାନା ବଡ଼ା ଗ୍ରାମର ପୂର୍ଣ୍ଣିମା ବିନ୍ଧାଣୀ(୪୦), ଯଶୋଦା ଟୁଡ଼ୁ(୪୨) ଏବଂ ବଡ଼ଭାଲିଆ ଗ୍ରାମର ଗେହ୍ଲୀ ବିନ୍ଧାଣୀ(୨୨)। ଏମାନଙ୍କୁ ମିଶାଇ ଆଜିସୁଦ୍ଧା ପିଆରଏମ ଅଧୀକ୍ଷକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ୭ଜଣ ଗିରଫ ହୋଇସାରିଥିବା ବାରିପଦା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।ପୂର୍ବରୁ ମଧ୍ୟ ତିନି ଜଣ ମହିଳା ଗିରଫ ହୋଇଥିଲେ। ଆଜି ଆହତ ହୋଇ ହସ୍ପିଟାଲରେ ଥିବା କଂଗ୍ରେସ ସମର୍ଥିତ କର୍ମୀ ନିର୍ମଳ ପ୍ରଧାନଙ୍କୁ ମଧ୍ୟ ଏହି ଆକ୍ରମଣ ଘଟଣାରେ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି। ତେବେ ଆଜି ଗିରଫ ହୋଇଥିବା ଗେହ୍ଲୀ ବିନ୍ଧାଣୀଙ୍କ ସହିତ ତାଙ୍କର ସାଢ଼େ ୩ ବର୍ଷର ନାବାଳିକା ଝିଅ ଜେଲରେ ରହିବା ନିମନ୍ତେ ଅନୁମତି ଦିଆଯାଇଛି।