ନୀତୀଶ କୁମାର ଏନଡିଏ ବିଧାୟକ ଦଳର ନେତା ନିର୍ବାଚିତ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

ବିହାରରେ ଔପଚାରିକ ଭାବେ ନେତା ଚୟନ ନିମନ୍ତେ ‘ନ୍ୟାସନାଲ୍ ଡେମୋକ୍ରାଟିକ୍ ଆଲିଆନ୍ସ’ (ଏନଡିଏ) ଆଜି ଅପରାହ୍ଣ ୧୨.୩୦ରେ ବୈଠକ ଆୟୋଜନ କରିଥିଲା। ଏହି ବୈଠକରେ ନୀତୀଶ କୁମାର ଏନଡିଏ ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି। ବୈଠକରେ ନୀତୀଶଙ୍କୁ ବିଧାୟକ ଦଳର ନେତା ଭାବେ ଘୋଷଣା କ‌ରାଯିବା ପରେ ଆସନ୍ତାକାଲି ପୂର୍ବାହ୍ନରେ ସେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣା ପଡ଼ିଛି। ସପ୍ତମ ଥର ପାଇଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବା ସହ ସୁଶୀଲ ମୋଦୀ ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ହେବେ।ଅନୌପଚାରିକ ଆଲୋଚନା ନିମନ୍ତେ ଗତ ଶୁକ୍ରବାର ଦିନ କୁମାରଙ୍କ ବାସଭବନରେ ‘ଏନଡିଏ’ ନେତାମାନେ ଏକତ୍ର ହୋଇଥିଲେ। ନଭେମ୍ବର ୧୦ ତାରିଖରେ ନିର୍ବାଚନ ଫଳାଫଳ ଘୋଷିତ ହେବା ପରେ ଏହାଥିଲା ସେମାନଙ୍କର ପ୍ରଥମ ବୈଠକ। ଶୁକ୍ରବାର କ‌ୌଣସି ନିଷ୍ପତ୍ତି ନିଆଯାଇ ନପାରିବାରୁ ଆଜି ଔପଚାରିକ ଭାବେ ନେତା ଚୟନ ନିମନ୍ତେ ‘ନ୍ୟାସନାଲ୍ ଡେମୋକ୍ରାଟିକ୍ ଆଲିଆନ୍ସ’ (ଏନଡିଏ) ଅପରାହ୍ଣ ୧୨.୩୦ରେ ବୈଠକ ଆୟୋଜନ କରିଥିଲା। ଏନଡିଏର ଏହି ବୈଠକରେ ବିଜେପି, ଜେଡିୟୁ, ହମ୍ ଏବଂ ଭିଆଇପି ଦଳ ଉପସ୍ଥିତ ଥିଲେ। ଏହା ସହ ପ୍ରତିରକ୍ଷ‌ା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ନେତା ସୁଶୀଲ କୁମାର ମୋଦୀ ଏବଂ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଏଥର ବିଜେପି, ଜେଡିୟୁ, ହମ୍ ଏବଂ ଭିଆଇପିର ୧୨୫ବିଧାୟକ ଏନଡିଏରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

Spread the love