ରଙ୍ଗବତୀ ଗୀତ ଗାଇବେ ବିଧାୟକ ସୁର ରାଉତରାୟ

କଟକ, ୨୦/୧୧: ପ୍ରଥମ ଥର ପାଇଁ ଗୀତ ଗାଇବେ ବିଧାୟକ ସୁର ରାଉତରାୟ। ତାହା ପୁଣି ରାପ। ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦେଶନାରେ ଆଜି କଟକର ମିଲନ ଷ୍ଟଡ଼ିଓରେ ଏହି ଗୀତ ରେକର୍ଡ କରାଯିବ। ନିଜର ବେଫିକର ଅନ୍ଦାଜ଼, ବିତର୍କିତ ବୟାନବାଜି, ନିଜସ୍ୱ ନିଆରା ଶୈଳୀ ସାଙ୍ଗକୁ କୌତୁକିଆ ମିଜାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଶ୍ରୀ ରାଉତରାୟ ଏ ଗୀତର କିଛି ରାପ ଅଂଶ ଗାଇବେ। ଅରମାନ ମ୍ୟୁଜିକ ପ୍ରଯୋଜିତ ଏ ଗୀତଟିକୁ ଲେଖିଛନ୍ତି ତପୁ ନାୟକ। ସୁରଙ୍କ ସହିତ ଏହି ଗୀତରେ କଣ୍ଠଦାନ କରିବେ ଲୋପାମୁଦ୍ରା ନାୟକ ଓ ଜ୍ୟୋତିର୍ମୟୀ। ଜନନାୟକମାନେ ଗାୟକ ଭୂମିକାରେ ଉପନୀତ ହେବା କିଛି ନୂଆ କଥା ନୁହେଁ ।ସୁରଙ୍କ ପୂର୍ବରୁ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଗୀତ ଗାଇ ଚର୍ଚ୍ଚାରେ ରହିସାରିଛନ୍ତି | ଏ ଗୀତର ଶୀର୍ଷକ ‘ରଙ୍ଗବତୀ.. ‘ ରଖାଯାଇଥିଲେ ମଧ୍ୟ ପ୍ରସିଦ୍ଧ ସମ୍ବଲପୁରୀ ରଙ୍ଗବତୀ ଗୀତ ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଲୋକଙ୍କ ପ୍ରିୟ ଓ ପସନ୍ଦର ସଙ୍ଗୀତ ନିର୍ଦ୍ଦେଶକ ଭାବେ ଜଣାଶୁଣା ଜାପାନୀ ଭାଇ। ତାଙ୍କର ନିଷ୍ଠାପର ସେବା, ପରୋପକାରୀ ମନୋଭାବ ଓ ଲୋକଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ସମ୍ମାନ ପାଇଁ ଲୋକେ ତାଙ୍କୁ ଯେପରି ଭଲପାଇବା ଦେଇ ଆସିଛନ୍ତି ଏ ଗୀତକୁ ମଧ୍ୟ ସେପରି ଭଲପାଇବା ଦେବେ ବୋଲି ଆଶା। ଆଜି ଅପରାହ୍ନ 4ଟା ସମୟରେ କଟକସ୍ଥିତ (ସମ୍ରାଟ ହଲ ନିକଟସ୍ଥ ) ମିଲନ ଷ୍ଟଡ଼ିଓରେ ଏହି ଗୀତଟି ରେକର୍ଡ କରାଯିବ।

Spread the love