ନ୍ୟାୟ ପାଇଁ ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ

ନ୍ୟାୟ ପାଇଁ ବିଧାନସଭା ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତି। ତାଙ୍କ ୫ ବର୍ଷ ଝିଅର ଆଖି ଓ କିଡନୀ ତାଡ଼ି ନେଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ, ଆମ ୫ ବର୍ଷର ଝିଅକୁ ଅପହରଣ କରି ନେଲେ। ଆଖି ଓ କିଡନୀ ତାଡ଼ି ନେଇ ତାକୁ ମାରିଦେଲେ। ଦେଖୁ ଦେଖୁ ୪ ମାସ ବିତି ଗଲାଣି। ପୁଲିସ୍‌ ନିକଟରେ ଗୁହାରି କଲେ ପୁଲିସ୍‌ ଶୁଣୁନି। ନ୍ୟାୟ ପାଇଁ ଯିବାରୁ ନିର୍ଯାତନାର ଶିକାରୁ ହେଉଛୁ। ଆମେ କିପରି ନ୍ୟାୟ ପାଇବୁ।’ ଆଜି ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରି ଉଦ୍ଧାର ହୋଇଥିବା ନୟାଗଡ଼ର ଦମ୍ପତି ଏପରି ଭାବେ ଚିତ୍କାର କରି ନିଜ କୋହକୁ ବଖାଣୁଥିଲେ। ନ୍ୟାୟ ପାଇଁ ଅପେକ୍ଷା କରି ନିରାଶ ହେବା ପରେ ଆଜି ବିଧାନସଭା ସମ୍ମୁଖରେ ପହଞ୍ଚିଥିଲେ ନୟାଗଡ଼ ଜିଲ୍ଲା ଯଦୁପୁର ଗାଁର ଅଶୋକ ସାହୁ ଏବଂ ସୌଦାମିନୀ ସାହୁ । ସେଠାରେ ନିଜ ଦେହରେ ଡିଜେଲ୍ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ମାତ୍ର ଠିକଣା ସମୟରେ ପୁଲିସ୍ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି।

ପୁଲିସ୍‌ କାବୁ କରିବା ପରେ ଆତ୍ମାହୁତି ଉଦ୍ୟମ କରିଥିବା ଦମ୍ପତି କହିଛନ୍ତି- ଝିଅ ପରୀର ମୃତ୍ୟୁକୁ ଅନେକ ମାସ ବିତିଥିଲେ ମଧ୍ୟ ଅଭିଯୁକ୍ତ ଧରାପଡ଼ିନାହାନ୍ତି । ଆମ କଥା କେହି ଶୁଣୁନାହାନ୍ତି କି ବୁଝୁନାହାନ୍ତି । ଆମ ଝିଅକୁ ମାରିଦେଲେ,ଆଖି ଓ କିଡନୀ ତାଡ଼ି ନେଲେ। ପୁଲିସ୍‌ ନିକଟରେ ଗୁହାରି କଲେ ପୁଲିସ୍‌ ଶୁଣୁନି। ଆମକୁ ନ୍ୟାୟ ମିଳୁ ବୋଲି କହିଛନ୍ତି ସମ୍ପୃକ୍ତ ମହିଳା ।

Spread the love