ଅତି ଭୀଷଣ ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କଲା ‘ନିଭାର’

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ନିଭାର୍‌ ବୁଧବାର ବିଳିମ୍ବିତ ରାତିରେ ଲ୍ୟାଣ୍ଡଫଲ କରିଛି। ଲ୍ୟାଣ୍ଡଫଲ କରିବା ବେଳେ ଏହା ଅତିଭୀଷଣ ରୂପ ଧାରଣ କରିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହାର ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା।ରାତି ୧୧.୧୫ରୁ ବାତ୍ୟା ନିଭାର ପ୍ରକୋପ ଆରମ୍ଭ ହୋଇ ରାତି ୨.୩୦ ଯାଏ ଚାଲିଥିଲା। ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟାପ୍ରତି ବେଗ ୧୧୦ରୁ ୧୩୦ କିମି ଓ ବେଳେବେଳେ ଏହା ୧୪୫ କିମି ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ସ୍ଥଳଭାଗ ଛୁଇଁବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇଛି। ବିଳମ୍ବିତ ରାତି ହୋଇଯାଇଥିବାରୁ କ୍ଷୟକ୍ଷତି ଆକଳନ କରାଯାଇ ପାରିନାହିଁ। ତେବେ ଏକାଧିକ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ ଯୋଗାଣ ଠପ ହୋଇଯାଇଛି।ବିଭାଗର ସୂଚନା ଅନୁଯାୟୀ, ପୁଡୁଚେରୀର ଠାରୁ ଉତ୍ତର ଦିଗରେ ୩୦ କିମି ଓ ଚେନ୍ନାଇ ଠାରୁ ୧୧୫ କିମି ଦୂରରେ ବାତ୍ୟା ନିଭାର ଲ୍ୟାଣ୍ଡଫଲ କରିଛି। ମାରକ୍କାନାମାର ଅତି ନିକଟରେ ଏହା ଲ୍ୟାଣ୍ଡଫଲ କରି ପ୍ରାୟ ସାଢ଼େ ୩ ଘଣ୍ଟାରୁ ୪ ଘଣ୍ଟା ଧରି ତାଣ୍ଡବ ରଚିଥିଲା। ଏହାର ପ୍ରଭାବରେ ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳ ଓ କୁଡ୍ଡାଲୋର୍‌ରେ ପବନର ଘଣ୍ଟାପ୍ରତି ବେଗ ୧୨୦ରୁ ୧୩୦ କିମି ରହିଥିଲା।

Spread the love