ଇସ୍କନ୍‌ର ଦ୍ବିତୀୟ ଜଗନ୍ନାଥ ମନ୍ଦିର ନିର୍ମାଣକୁ ହାଇକୋର୍ଟଙ୍କ ନା

ଇସ୍କନ୍‌କୁ ଅନ୍ୟ ଦେବଦେବୀ ମନ୍ଦିର କମ୍ପ୍ଲେକ୍ସ ନିର୍ମାଣ ପାଇଁ ଅନୁମତି ମିଳିବ, କିନ୍ତୁ ଜଗନ୍ନାଥ ମନ୍ଦିର ପାଇଁ ନୁହେଁ। ଏମିତି ସର୍ତ୍ତରେ ନିର୍ମାଣ କରିବାକୁ ହାଇକୋର୍ଟ ଦେଇଛନ୍ତି ଅନୁମତି। ହାଇକୋର୍ଟଙ୍କଠାରୁ ଏହି ନିର୍ଦ୍ଦେଶ ମିଳିବା ପରେ ପୁରୀ ସିପସରୁବାଲିରେ ଇସ୍କନ୍‌ ମନ୍ଦିର କମ୍ପ୍ଲେକ୍ସ ନିର୍ମାଣର ବାଟ ଖୋଲିଛି। 2016ରେ ଇସ୍କନ୍‌ ସିପସରୁବାଲି ମୌଜାରେ ଏକ ମନ୍ଦିର କମ୍ପ୍ଲେକ୍ସ କରିବାକୁ ଯୋଜନା ଅନୁମୋଦନ ନେଇଥିଲା। ତେବେ ସେଠାରେ ଦ୍ବିତୀୟ ଜଗନ୍ନାଥ ମନ୍ଦିର କରିବାକୁ ଘୋଷଣା କରିବା ପରେ ଉପୁଜିଥିଲା ବିବାଦ। ଜନଆନ୍ଦୋଳନ ଓ ରାଜନୈତିକ ବିବାଦ ଯୋଗୁ ଏହାକୁ ବନ୍ଦ କରିଥିଲା ପ୍ରଶାସନ। ଅନୁମୋଦିତ ନକ୍ସାରେ ଜଗନ୍ନାଥ ମନ୍ଦିର ନିର୍ମାଣ ନଥିବା ବେଳେ ଏହା ଇସ୍କନ୍‌ କିପରି କରିବ ବୋଲି ପ୍ରଶ୍ନ କରିଥିଲା ପିକେଡିଏ।

ଏମିତିକି ଅନୁମୋଦିତ ନକ୍ସା କାହିଁକି ବାତିଲ କରାଯିବନାହିଁ ବୋଲି ସେହି ବର୍ଷ ଜାନୁଆରି 24 ତାରିଖରେ ନୋଟିସ୍‌ ଦେଇଥିଲା। ଏହାକୁ ବିରୋଧ କରି ଇସ୍କନ୍‌ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ହାଇକୋର୍ଟ ପିକେଡିଏ ନୋଟିସ୍‌ ଉପରେ ରୋକ ଲଗାଇଥିଲେ ବି ଏ ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ନାହିଁ ବୋଲି ଫେବ୍ରୁଆରି 24 ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ତଥାପି ଏହି ମାମଲା ଥଣ୍ଡା ପଡ଼ିନଥିଲା। ବିବାଦ ଥିବାରୁ ସରକାର ଆରଡିସିସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାମଧ୍ୟରେ ଆରଡିସି ତଦନ୍ତ କରି ତାଙ୍କ ରିପୋର୍ଟ ଦେଇ ସାରିଛନ୍ତି। ଇତିମଧ୍ୟରେ ଇସ୍କନ୍‌ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇ ପ୍ରସ୍ତାବିତ ଇସ୍କନ୍‌ ଟେମ୍ପୁଲ କମ୍ପ୍ଲେକ୍ସ ନିର୍ମାଣ ପାଇଁ ପିକେଡିଏ ଅନୁମତି ଦେବାକୁ ଅନୁରୋଧ କରାଯାଇଥିଲା। ଏହାର ଶୁଣାଣି କରି ହାଇକୋର୍ଟ ଜଗନ୍ନାଥ ମନ୍ଦିର ବିନା ଅନ୍ୟ ମନ୍ଦିର କଲେ ପିକେଡିଏ ଅନୁମତି ଦେବାରେ ସମସ୍ୟା ରହିବ ନାହିଁ ବୋଲି ଦର୍ଶାଇଛନ୍ତି।

ଏହାବ୍ୟତୀତ କାହାରି ଧର୍ମ ଭାବନାକୁ ପ୍ରଭାବିତ କରିବା ଭଳି ନିର୍ମାଣ ନକରିବାକୁ ବି ଚେତାଇ ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ ଇସ୍କନ୍‌ ପକ୍ଷରୁ ମନ୍ଦିର କମ୍ପ୍ଲେକ୍ସ ନିର୍ମାଣ କରିବାକୁ ଯୋଜନା ଆରମ୍ଭ ହୋଇଛି। ତେବେ ପିକେଡିଏ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯୋଜନା ଅନୁମୋଦନ କରାଯିବାକୁ ଏହାମଧ୍ୟରେ ୩ ବର୍ଷ ବିତିଯାଇଛି। ତେଣୁ ସେହି ଅନୁମୋଦିତ ଯୋଜନାର ଅବଧି ଆଉ ନାହିଁ। ଏବେ ନୂଆ ଆବେଦନ କଲେ ବିଚାର କରାଯିବ।

Spread the love