ଭାରତରେ ଗଣତନ୍ତ୍ର ସୁଦୃଢ଼ ହେବା ନିମନ୍ତେ ନ୍ୟାୟପାଳିକାକୁ ଶ୍ରେୟ ଦିଆଯିବା ଉଚିତ୍ : ଜଷ୍ଟିସ୍ ନାଇଡୁ

ଭୁବନେଶ୍ୱର, ୨୯/୧୧ : ଭାରତର ପଡୋଶୀ ଦେଶଗୁଡ଼ିକରେ ଗଣତନ୍ତ୍ର ବ୍ୟବସ୍ଥା ଉଧେଇ ନ ପାରିବା ସ୍ଥଳେ ଭାରତରେ ଏହା ବେଶ ସୁଦୃଢ଼ ହୋଇପାରିଛି। ଏଥିନିମନ୍ତେ ଦେଶର ନ୍ୟାୟପାଳିକାଙ୍କୁ ଶ୍ରେୟ ଦିଆଯିବା ଉଚିତ୍ ବୋଲି ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ନ୍ୟାୟମୂର୍ତୀ  ଏ.ଏସ୍‌. ନାଇଡୁ କହିଛନ୍ତି ।

ଭାରତର ପଡୋଶୀ ଦେଶଗୁଡ଼ିକରେ ଗଣତନ୍ତ୍ର ପଦ୍ଧତି ବିଶେଷ ଆଦୃତ ହୋଇ ପାରି ନଥିଲାବେଳେ ଆମଦେଶରେ ବିଚାର ବ୍ୟବସ୍ଥା ସୁଦୃଢ଼ ହୋଇଥିବାରୁ ଗଣତନ୍ତ୍ର ବ୍ୟବସ୍ଥା ମଧ୍ୟ ସୁଦୃଢ଼ ହୋଇ ପାରିଛି ବୋଲି ସୋଆ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ଫ୍ୟାକଲ୍ଟି ଅଫ୍ ଲିଗାଲ୍ ଷ୍ଟଡିଜ୍‌ର ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କର ଭର୍ଚୁଆଲ୍ ଓରିଏଂଟେସନ୍ କାର୍ଯ୍ୟକ୍ରମରେ ଶୁକ୍ରବାର ଦିନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନ୍ୟାୟମୂର୍ତୀ ଜଷ୍ଟିସ୍ ନାଇଡୁ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ । ନ୍ୟାୟମୂର୍ତୀ ନାଇଡୁ ଭାରତରେ ନ୍ୟାୟପାଳିକା ବ୍ୟବସ୍ଥାର ଉତ୍କର୍ଷତାକୁ ପ୍ରମାଣ କରିବାକୁ ଦୁଇ ଜଣ ବିଖ୍ୟାତ ଓକିଲ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଓ ଡଃ ରାଧା ବିନୋଦ ପାଲଙ୍କ ନାମ ଉଲ୍ଲେଖ କରିଥିଲେ । ସର୍ଦ୍ଦାର ପଟେଲଙ୍କର ବିଚାର ବ୍ୟବସ୍ଥା ପ୍ରତି ଥିବା ନିଷ୍ଠାକୁ ଉଲ୍ଲେଖ କରି ସେ କହିଥିଲେ ଯେ ତତ୍କାଳିନ ବ୍ରିଟିଶ୍ ସରକାର ବିରୁଦ୍ଧରେ ଦେଶଦ୍ରୋହ ଅଭିଯୋଗରେ ଅଭିଯୁକ୍ତ ୩୫ ଜଣ ଭାରତୀୟଙ୍କ ସପକ୍ଷରେ ମକଦ୍ଦମା ଲଢ଼ୁଥିବା ଅବସ୍ଥାରେ ସର୍ଦ୍ଦାର ପଟେଲ ତାଙ୍କ ପତ୍ନୀଙ୍କ ମୃତ୍ୟୁ ସମ୍ବାଦପାଇଥିଲେ ।

ଏହି ଘଟଣାରେ ବିଚାରପତି କୋର୍ଟର କାର୍ଯ୍ୟ ସ୍ଥଗିତ ରଖିବା ନିମନ୍ତେ ଆଦେଶ ଦେବାରୁ ସର୍ଦ୍ଦାର ପଟେଲ ଏହାକୁ ପ୍ରତ୍ୟାଖ୍ୟାନ କରି ତାଙ୍କ ପାଇଁ ୩୫ ଜଣ ଭାରତୀୟଙ୍କ ଜୀବନ ଅଧିକ ମୂଲ୍ୟବାନ ବୋଲି କହିଥିଲେ। ଏହି ମକଦ୍ଦମାରେ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରାଯାଇଥିଲା । ସେହିପରି ଡଃ ପାଲ୍ ଜାପାନରେ ୨ୟ ବିଶ୍ୱଯୁଦ୍ଧ ସମୟରେ ଅପରାଧ କରିଥିବା ଅଭିଯୁକ୍ତ ମାନଙ୍କ ବିଚାର କରିବାକୁ ଗଠିତ ଦୂରପ୍ରାଚ୍ୟ ନିମନ୍ତେ
ଆନ୍ତର୍ଜାତିକ ମିଲିଟାରୀ ଟ୍ରିବ୍ୟୁନାଲ୍‌ରେ ୩ ଜଣ ସଦସ୍ୟଙ୍କ ମଧ୍ୟରେ ଜଣେ ଥିଲେ ।

ଏହି ବିଚାର ସମୟରେ ସେ ଭିନ୍ନ ମତ ରଖି ଅଭିଯୁକ୍ତମାନଙ୍କ ସପକ୍ଷରେ ରାୟ ଦେଇଥିଲେ । ସେଥିପାଇଁ ଡଃ ପାଲ୍‌ଙ୍କ ସ୍ମୃତିରେ ଜାପାନରେ ତାଙ୍କର ପ୍ରତିମୂର୍ତୀ ସ୍ଥାପନ କରାଯାଇଛି ବୋଲି ନ୍ୟାୟମୂର୍ତୀ ନାଇଡୁ କହିଥିଲେ। ସେ ସୋଆ ଡିମ୍‌ଡ ବିଶ୍ୱବିଦ୍ୟାଳୟର ଭୂୟସୀ ପ୍ରଶଂସା କରିବା ସହ ନୂତନ ଛାତ୍ରଛାତ୍ରୀମାନେ ଆଇନ୍ ଶିକ୍ଷା ନିମନ୍ତେ ଏକ ଉତମ ଅନୁଷ୍ଠାନ ମନୋନୀତ କରିଛନ୍ତି ବୋଲି କହିଥିଲେ। ଏହି ବିଶ୍ୱବିଦ୍ୟାଳୟର ଅଭିଜ୍ଞ ଶିକ୍ଷକ ଶିକ୍ଷୟତ୍ରୀ ଓ ଉତମ ବ୍ୟବସ୍ଥା ସେମାନଙ୍କର ସହାୟକ ହେବ ।

ଏହି ଶିକ୍ଷାନୁଷ୍ଠାନରୁ ପାସ କରି ଯାଉଥିବା ଛାତ୍ରଛାତ୍ରୀମାନେ ବିଚାରାଳୟ ତଥା ଅନ୍ୟ ସ୍ଥାନରେ ଉତମ ପ୍ରଦର୍ଶନ କରୁଛନ୍ତି ବୋଲି ସେ କହିଥିଲେ । କୁଳପତି ପ୍ରଫେସର ମହାପାତ୍ର କହିଥିଲେ ଯେ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ର ‌୍ୟାଙ୍କିଙ୍ଗ ଫ୍ରେମୱର୍କ (ଏନ୍‌ଆଇଆର୍‌ଏଫ୍‌) ର ର‌୍ୟାଙ୍କିଙ୍ଗ ଅନୁଯାୟୀ ଦେଶର ୨୦ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ତାଲିକାରେ ସ୍ଥାନୀତ ହୋଇପାରିଛି । ଏହାଛଡ଼ା ନିକଟରେ କ୍ୟୁଏସ୍ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ରେ ସୋଆ କୃତିତ୍ୱ ହାସଲ କରିପାରିଛି ।

ପ୍ରଫେସର ମହାପାତ୍ର ଆଇନ୍ ଶିକ୍ଷା ପ୍ରତି ଅନେକ ସଂଖ୍ୟାରେ ମେଧାବୀ ଛାତ୍ରଛାତ୍ରୀମାନେ ଆକୃଷ୍ଟ ହେଇଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ । ଶିକ୍ଷାନୁଷ୍ଠାର ବରିଷ୍ଠ ପ୍ରଫେସର ଜୟଦେବ ପତି ଓ ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ ତଥା ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ୍ ମଧ୍ୟ ଉଦ୍‌ବୋଧନ ଦେଇଥିଲେ।

Spread the love