ତୃତୀୟ ଦିନିକିଆ ମ୍ୟାଚରେ ୧୩ ରନରେ ବାଜି ଜିତିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ, ୨/୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ଭାରତ ୧୩ ରନରେ ବିଜୟକୁ ନିଶ୍ଚିତ କରିଛି  । ଟିମ୍‌ ଇଣ୍ଡିଆର ଘରୋଇ ଦଳକୁ ୩୦୩ ରନ୍‌ର ଟାର୍ଗେଟ୍ ଦେଇଥିବା ବେଳେ ଅଷ୍ଟ୍ରେଲିଆ ୩ଟି ବଲ୍ ବାକି ଥାଇ ୨୮୯ ରନରେ ଅଲ ଆଉଟ ହୋଇଯାଇଥିଲା। ଶେଷ ମ୍ୟାଚ​ରେ ଭାରତୀୟ ଦଳ ସମ୍ମାନ ରକ୍ଷା କରି ମ୍ୟାଚ ବିଜୟୀ ହେବା ସହ ଅଷ୍ଟ୍ରେଲିଆର ଲମ୍ବା ବିଜୟୀ ରେକର୍ଡକୁ ବିରତି ମିଳିଛି  ।

ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍‌ ବିନିମୟରେ ୩୦୨ ରନ୍‌ ସଂଗ୍ରହ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରିଥିଲେ ହେଁ ଭଲ ଆରମ୍ଭ କରିଥିଲେ । ଆଜି ସବମନ୍‌ ଗିଲ୍‌ ଏବଂ ଶିଖର ଧୱନ ଓପନିଂ କରିଥିଲେ। ୬ ଓଭରରେ ଦଳ ୨୬ ରନ୍‌ କରିଥିବାବେଳେ ଧୱନଙ୍କୁ ହରାଇଥିଲା। ଗିଲ୍‌ ମଧ୍ୟ ବେଶୀ ସମୟ ରହିପାରି ନ ଥିଲେ। ସେ ୩୯ ବଲ୍‌ରେ ୩୩ ରନ୍‌ କରିଥିଲେ।

ତୃତୀୟ ନମ୍ବରରେ ଆସିଥିବା ଅଧିନାୟକ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ସେ ୭୮ ବଲ୍‌ରେ ୬୩ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଏହା ପରେ ପରେ ଶ୍ରେୟସ ଆୟାର ୧୯ ଓ କେ.ଏଲ. ରାହୁଲ ୫ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ୩୨ ଓଭରରେ ଦଳ ୧୫୨ ରନ୍‌ କରିଥିବାବେଳେ ମୂଲ୍ୟବାନ୍‌ ୫ଟି ଓ୍ବିକେଟ୍‌ ହରାଇ ଶୋଚନୀୟ ସ୍ଥିତିର ସମ୍ମୁଖୀନ ହୋଇଥିଲା।

ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜା ଧୈର୍ଯ୍ୟର ସହିତ ବ୍ୟାଟିଂ କରି ଆକର୍ଷଣୀୟ ଇନିଂସ ଖେଳିଥିଲେ। ଉଭୟେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳର ସ୍କୋରକୁ ୩୦୦ ପାର୍‌ କରାଇଥିଲେ। ଉଭୟଙ୍କ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଟିମ୍‌ ଇଣ୍ଡିଆ ଏକ ସମ୍ମାନଜନକ ସ୍କୋର କରି ପାରିଥିଲା।

ପାଣ୍ଡ୍ୟା ୭୫ ବଲ୍‌ରେ ୯୦ ରନ୍‌ ସଂଗ୍ରହ କରିଥିବାବେଳେ ସେଥିରେ ୭ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଅଛି। ସେହିପରି ଜାଡେଜା ୫୦ ବଲ୍‌ରେ ୫ ଚୌକା ଓ ୩ ଛକା ସହାୟତାରେ ୬୬ ରନ୍‌ କରିଥିଲେ।

ପ୍ରଥମ ୨ଟି ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇ ସିରିଜକୁ ହାତେଇ ନେଇଥିଲେ ମଧ୍ୟ ଚୁଡାନ୍ତ ପରିରାମ ୨-୧ ରହିଛି।

Spread the love