ନୀଳଗିରି ନାବାଳିକା ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ପିସିସି ଗଠନ କଲା ତଥ୍ୟ ଅନୁଧ୍ୟାନ କମିଟି

ଭୁବନେଶ୍ୱର, ୩/୧୨: ନୀଳଗିରି ଥାନା ଅଂଚଳରେ ଥିବା ଇଟାଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ୧୨ ବର୍ଷର ନାବାଳିକା ମୃତ୍ୟୁ ଘଟଣା ସଂପର୍କରେ ତଥ୍ୟ ଅନୁଧ୍ୟାନ କରିବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି  ନିରଞ୍ଜନ ପଟ୍ଟନାୟକ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ଏହି କମିଟିରେ କଂଗ୍ରେସ ନେତ୍ରୀ  ବନ୍ଦିତା ପରିଡା,  ପ୍ରଜ୍ଞାପାରମିତା ମହାନ୍ତି,  ଅର୍ଚ୍ଚନା ନନ୍ଦୀ,  ମନୋଜା ମଞ୍ଜରୀ ଦେବୀ ଓ  ମମତା କୁଣ୍ଡୁ ରହିଛନ୍ତି । ଉକ୍ତ କମିଟି ତୁରନ୍ତ ଘଟଣାସ୍ଥଳ ଗସ୍ତ କରି ଘଟଣା ସଂପର୍କରେ ଅନୁଧ୍ୟାନ କରିବା ସହ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ପ୍ରଦାନ କରିବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଗସ୍ତ ସମୟରେ କମିଟି ସେଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ । ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ଉକ୍ତ ତଥ୍ୟ ଅନୁଧ୍ୟାନ କମିଟିକୁ ଗସ୍ତ ସମୟରେ ସମସ୍ତ ପ୍ରକାର ସହଯୋଗ କରିବା ସହ ସାମ୍ବାଦିକ ସମ୍ବିଳନୀର ଆୟୋଜନ କରିବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

Spread the love