ମୋଦୀ ଓ ମମତାଙ୍କ ପାଖକୁ ‌ଜେଲ ଭିତରୁ ଲେଖିଥିବା ଚିଠିରେ ଏଭଳି କଥା ଉଲ୍ଲେଖ କରିଛନ୍ତି ସାରଦା ଗ୍ରୁପର ମୁଖ୍ୟ

ପଶ୍ଚିମବଙ୍ଗକୁ ଝଟକା ଦେଲା ଭଳି ସାରଦା ଚିଟ୍‌ଫଣ୍ଡ ଠକେଇର ମୁଖ୍ୟ ସୁଦୀପ୍ତ ସେନ୍ ବିଧାନସଭା ନିର୍ବାଚନ-୨୦୨୧ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠି‌ରେ ସୁଦୀପ୍ତ ସମସ୍ତ ବଡ଼ ପାର୍ଟି, ତୃଣମୂଳ କଂଗ୍ରେସ, କଂଗ୍ରେସ, ସିପିଆଇ ଓ ଭାରତୀୟ ଜନତା ପାର୍ଟି ନେତାମାନଙ୍କୁ ଟଙ୍କା ଦେଇଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି।

ଚିଠିରେ ଉଲ୍ଲେଖ ରହିଛି କି… ସମ୍ମାନନୀୟ ସାର ଓ ମ୍ୟାଡମ। ମୁଁ ସାରଦା ଗ୍ରୁପ ଅଫ କମ୍ପାନିର ମାଲିକ ଓ ନିର୍ଦେଶକ ସୁଦୀପ୍ତ ସେନ କହିବାକୁ ଚାହୁଁଛି କି, ପ୍ରତିଷ୍ଠିତ ରାଜନୈତିକ ଦଳର ନେତାଙ୍କ ସମେତ ଅନେକ ପ୍ରଭାବଶାଳୀ ଲୋକ ମୋ ଠାରୁ ଟଙ୍କା ନେଇଛନ୍ତି। ସିବିଆଇ ଓ ପଶ୍ଚିମବଙ୍ଗ ପୁଲିସକୁ ଏହି ସମସ୍ତଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲି କିନ୍ତୁ କେହି ଏହା ଉପରେ ଧ୍ୟାନ ଦେଇ ନଥିଲେ। ଡିସେମ୍ବର ୧ରେ ବିଚାରଧୀନ କଏଦୀ ଥିବା ସୁଦୀପ୍ତ ସେନ୍ ଚିଠି ଲେଖି କହିଛନ୍ତି ଯେ ଟଙ୍କା ନେଉଥିବା ଲୋକଙ୍କ ତାଲିକାରେ  ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଏମ୍), ଭାରତୀୟ ଜନତା ପାର୍ଟି (ବିଜେପି), କଂଗ୍ରେସ ଏବଂ ତୃ୍ଣମୂଳ କଂଗ୍ରେସ (ଟିଏମସି)ର କିଛି ରାଜନୈତିକ ନେତା ସାମିଲ ରହିଛନ୍ତି। ମୁଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିବିଆଇ ଏବଂ ରାଜ୍ୟ ପୁଲିସକୁ ଅନୁରୋଧ କରୁଛି। ‘

ସାରଦା ଚିଟଫଣ୍ଡ ଯୋଜନା ମାଧ୍ୟମରେ ପଶ୍ଚିମବଙ୍ଗରେ ଶହ ଶହ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା। ୨୦୧୩ ରେ କମ୍ପାନି ବନ୍ଦ ହୋଇଯିବା ପରେ ସାଧାରଣ ଲୋକଙ୍କ ହଜାର ହଜାର କୋଟି ଟଙ୍କା ବୁଡ଼ି ଯାଇଥିଲା। ଏହି ଠକେଇ ଘଟଣାରେ ସୁଦୀପ୍ତ ସେନ୍ ଏବଂ ଦେବଯାନୀ ମୁଖାର୍ଜୀଙ୍କୁ ଏହି ବର୍ଷ କାଶ୍ମୀରର ସୋନମର୍ଗରୁ ଗିରଫ କରାଯାଇଥିଲା।

Spread the love