ଭାରତର ଡିଜିଟାଲ୍‍ ଅଭିବୃଦ୍ଧିର କୌଣସି ତୁଳନା ନାହିଁ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୮/୧୨: ଦେଶର ଡିଜିଟାଲ୍‍ କ୍ଷମତା ଯଥେଷ୍ଟ ଅଧିକ ଓ ମୋବାଇଲ୍‍ ଟେକ୍ନୋଲୋଜି ସହାୟତାରେ ସମାଜର ଗରିବ ଓ ଅବହେଳିତ ବର୍ଗଙ୍କୁ କୋବିଡ୍‍ ନାଇଣ୍ଟିନ୍‍ ସମୟରେ ସହାୟତା ଦିଆଯାଇପାରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଚତୁର୍ଥ ଭାରତ ମୋବାଇଲ୍‍ କଂଗ୍ରେସରେ ଉଦ୍‍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି, ଲକ୍ଷ ଲକ୍ଷ ଭାରତୀୟଙ୍କୁ ଶହ ଶହ କୋଟି ଡଲାରର ସହାୟତା ପ୍ରଦାନ କରାଯାଇଛି ଓ ମୋବାଇଲ୍‍ ଜ୍ଞାନକୌଶଳ ସହାୟତାରେ ସେମାନଙ୍କ ଜମାଖାତାରେ ସିଧାଯାଇ ଅର୍ଥ ପହଞ୍ଚିଛି।ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ମୋବାଇଲ୍‍ ଫୋନ୍‍ ଉତ୍ପାଦନ କ୍ଷେତ୍ରରେ ନାହିଁନଥିବା ସଫଳତା ହାସଲ କରିଛି ଓ ଏ କ୍ଷେତ୍ରରେ ବିଶ୍ୱରେ ଭାରତର ସ୍ଥାନ ଶୀର୍ଷରେ ରହିଛି। ସେ କହିଛନ୍ତି, ସରକାରଙ୍କ ଦ୍ୱାରା ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଗାଣ ଯୋଗୁଁ ଟେଲି ଯୋଗାଯୋଗ କ୍ଷେତ୍ରର ଯଥେଷ୍ଟ ଉନ୍ନତି ଘଟିବ।

ଶ୍ରୀ ମୋଦୀ କହିଛନ୍ତି, ଆଗାମୀ ତିନି ବର୍ଷ ଭିତରେ ସରକାର ଗ୍ରାମାଞ୍ଚଳରେ ହାଇସ୍ପିଡ୍‍ ଫାଇବର ଅପ୍‍ଟିକ୍‍ କେବୁଲ୍‍ ନେଟ୍‍ୱର୍କ ବିଛାଇବେ। ମୋବାଇଲ୍‍ ଓ ଇଣ୍ଟରନେଟ୍‍ ସଂଯୋଗ କ୍ଷେତ୍ରରେ ଦେଶ ହାସଲ କରିଥିବା ବିକାଶ ସମ୍ପର୍କରେ ଶ୍ରୀ ମୋଦୀ କହିଛନ୍ତି, ଭାରତରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଲୋକ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି ଓ ୭୫୦ ନିୟୁତ ଲୋକ ଇଣ୍ଟରନେଣ୍ଟ ବ୍ୟବହାର କରୁଛନ୍ତି।

Spread the love