ବେଆଇନ ରତ୍ନପଥର କାରବାରରେ ଗିରଫ ଅଭିଯୁକ୍ତଙ୍କ ସହ ମନ୍ତ୍ରୀଙ୍କ ଫଟୋ

ରତ୍ନପଥର ଜବତ ମାମଲାରେ ଗିରଫ ଅଭିଯୁକ୍ତ ଜିତେନ୍ଦ୍ର କୁମାର ବେହେରାଙ୍କ ସହ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ସାରକାଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା କହିଛନ୍ତି ଗିରଫ ଅଭିଯୁକ୍ତ ଜିତେନ୍ଦ୍ର ବେହେରାଙ୍କ ଫେସବୁକ୍ ଆକାଉଣ୍ଟକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଶାସକ ଦଳର ମନ୍ତ୍ରୀ, ନେତାଙ୍କ ସହ ରହି ଜିତେନ୍ଦ୍ର ନିଜ ବେଆଇନ କାରବାର କରୁଥିଲେ। ଅଭିଯୁକ୍ତଙ୍କ ସହ ଫଟୋ ଉଠାଇଥିବା ସମସ୍ତ ନେତା, ମନ୍ତ୍ରୀଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିବା ସହ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଉ। ମନ୍ତ୍ରୀ ସାରକାଙ୍କ ଚାମ୍ବରଠୁ ଆରମ୍ଭ କରି ରାସ୍ତାଘାଟ, ଭୋଜିଭାତ, ମନ୍ତ୍ରୀଙ୍କ କାନ୍ଧରେ ହାତ ରଖି ଉଠିଥିବା ଫଟୋ ମନ୍ତ୍ରୀ-ଅଭିଯୁକ୍ତଙ୍କ ମଧ୍ୟରେ ଥିବା ଘନିଷ୍ଠତାକୁ ପ୍ରମାଣ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏପରିକି ଅଭିଯୁକ୍ତ ଜିତେନ୍ଦ୍ର ରହୁଥିବା ରାୟଗଡ଼ା ସହରର ଜଗନ୍ନାଥ କମ୍ପ୍ଲେକ୍ସସ୍ଥିତ ଘରକୁ ମନ୍ତ୍ରୀଙ୍କ ନିୟମିତ ଯିବା ଆସିବା ରହିଥିଲା। ଆବଶ୍ୟକ ପଡ଼ିଲେ କମ୍ପ୍ଲେକ୍ସର ସିସିଟିଭି ଫୁଟେଜକୁ ଯାଞ୍ଚ କରିବାକୁ କଂଗ୍ରେସ ଦାବି କରିଛି।

 

ଅନ୍ୟପକ୍ଷରେ ଚୋରା ଗଞ୍ଜେଇ ଚାଲାଣ କାରବାରରେ ମଧ୍ୟ ଅଭିଯୁକ୍ତ ଜିତେନ୍ଦ୍ରର ସଂପୃକ୍ତି ରହିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମକୁ ଏହି ସଫଳତା ମିଳିଛି। ଜଗନ୍ନାଥ ସାରକାଙ୍କ ସହ ଅଭିଯୁକ୍ତ ଜିତେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଖଣି ଓ ପରିବହନ  ମନ୍ତ୍ରୀ ପଦ୍ମନାଭ ବେହେରା, ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ତଥା ନବରଙ୍ଗପୁର ସାଂସଦ ରମେଶ ମାଝିଙ୍କ ସହ ଫଟୋ ଉଠାଇ ଫେସବୁକରେ ପୋଷ୍ଟ କରିଛନ୍ତି।

ବିଜେଡ଼ିର ପଦଯାତ୍ରା, ଦଳୀୟ କାର୍ଯ୍ୟକ୍ରମ ସହିତ ମୁଖ୍ୟମନ୍ତ୍ରୀଙ୍କ ସଭାରେ ମଧ୍ୟ ଜିତେନ୍ଦ୍ର ଅତି ନିକଟରେ ବିଜେଡ଼ିର ଗାମୁଛା ପକାଇ ରହିଥିବା ଫଟୋ ଫେସବୁକରେ ଭାଇରାଲ୍ ହେବାରେ ଲାଗିଛି। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଗଞ୍ଜାମର ଏକ ପେଟ୍ରୋଲ ପମ୍ପ ମାଲିକ ୪୦ ଲକ୍ଷ ଟଙ୍କା ପଠାଇଥିବାକୁ ନେଇ ଖୋଳତାଡ଼ ଜାରି ରହିଥିବା ବେଳେ ପେଟ୍ରୋଲ ପମ୍ପ ମାଲିକ ଜିତେନ୍ଦ୍ରଙ୍କ ନିକଟ ସଂପର୍କୀୟ ବୋଲି ମଧ୍ୟ କଂଗ୍ରେସ ଅଭିଯୋଗ ଉଠାଇଛି। କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଶଙ୍କର୍ଷଣ ମଙ୍ଗରାଜ, ଆପାଲସ୍ୱାମୀ କାଡ୍ରକା ପ୍ରମୁଖ ଉପସ୍ଥିତ ଥିଲେ।

Spread the love