ଚାବହାର ବନ୍ଦର ବ୍ୟବହାର ସଂକ୍ରାନ୍ତରେ ଭାରତ, ଇରାନ ଓ ଉଜ୍‌ବେକିସ୍ତାନର ପ୍ରଥମ ତ୍ରିପାକ୍ଷିକ ବୈଠକ

ମିଳିତ ଭାବେ ଚାବହାର ବନ୍ଦରକୁ ବ୍ୟବହାର କରିବା ନିମନ୍ତେ ଆସନ୍ତା ସପ୍ତାହରେ ଭାରତ, ଇରାନ୍‌ ଓ ଉଜ୍‌ବେକିସ୍ତାନ ପ୍ରଥମ ତ୍ରିପାକ୍ଷିକ ବୈଠକ ଆୟୋଜନ କରିବେ। ଜୋ ବାଇଡେନ୍‌ ପ୍ରଶାସନ କ୍ଷମତାକୁ ଆସିବା ପରେ ଯୁକ୍ତରାଷ୍ଟ୍ର ଆମେରିକା ପୁଣି ତେହେରାନ୍‌ ଆଣବିକ ମାମଲାରେ ସମ୍ପୃକ୍ତ ହେବାର ରିପୋର୍ଟ ଆସୁଥିବାରୁ ଏହି ବୈଠକର ଗୁରୁତ୍ୱ ରହିଥିବା କଥା କୁହାଯାଉଛି।

ଶନିବାର ଦିନ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ, ଡିସେମ୍ବର ୧୪ ତାରିଖରେ ହେବାକୁ ଥିବା ଏହି ପ୍ରଥମ ତ୍ରିପାକ୍ଷିକ କାର୍ଯ୍ୟକାରିଣୀ ଦଳର ଭର୍ଚ୍ୟୁଆଲ୍‌ ବୈଠକରେ ମିଳିତ ଭାବେ ଅଧ୍ୟକ୍ଷତା କରିବେ ଇରାନ୍‌ ଏବଂ ଉଜବେକିସ୍ତାନର ଡେପୁଟି ମିନିଷ୍ଟର୍‌ ଓ ଭାରତର ଜଣେ ସଚିବ।

ଚାବହାର ବନ୍ଦରକୁ ପ୍ରୋତ୍ସାହନ ଦେବା ନିମନ୍ତେ ଇରାନ୍‌ ସହ ଏକ ତ୍ରିପାକ୍ଷିକ ବୈଠକ ହେବା ଉଚିତ ବୋଲି ଗତକାଲିର ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉଜ୍‌ବେକିସ୍ତାନ୍‌ର ରାଷ୍ଟ୍ରପତି ଶାଓ୍ଵକତ୍‌ ମିର୍ଜିୟୋୟେଭ୍‌ ପ୍ରସ୍ତାବ ଦେଇଥିଲେ।

ବିକଶିତ ହୋଇସାରିଥିବା ଚାବହାର ବନ୍ଦରର ଗୋଟିଏ ଟର୍ମିନାଲ୍‌ରେ ସମ୍ପ୍ରତି ଭାରତ ଜାହାଜ ଚଳାଚଳ କରାଉଛି। ଉଜ୍‌ବେକିସ୍ତାନ୍‌ ଚାବହାର ବନ୍ଦରକୁ ‘ଟ୍ରାଞ୍ଜିଟ୍‌ ପୋର୍ଟ’ ଭାବେ ବ୍ୟବହାର କରିବା ପ୍ରସ୍ତାବକୁ ଭାରତ ସ୍ୱାଗତ କରିଛି।

Spread the love