ଜାନୁଆରୀରୁ ଦେଶରେ ଆରମ୍ଭ ହୋଇପାରେ ଟିକାକରଣ, ୧୦ ମାସ ଭିତରେ ସମସ୍ତଙ୍କୁ ଦିଆଯିବ ଟିକା

ଭୁବନେଶ୍ଵର ୧୩।୧୨:  କରୋନା ଟିକାକୁ ନେଇ ସାରା ବିଶ୍ଵ ଏବେ ତତ୍ପର। କେବେ ସମସ୍ତଙ୍କୁ ମିଳିବ ଟିକା ? ଟିକା କେତେ ଫଳପ୍ରଦ ହେବ ? ଏହାକୁ ନେଇ ବିଚାର ବିମର୍ଶରେ ଲାଗିଛନ୍ତି ସବୁ ରାଷ୍ଟ୍ର। ଖୁବ ଶୀଘ୍ର ଭାରତରେ କରୋନା ଟିକା ଦିଆଯିବ ବୋଲି ନିକଟରେ ପ୍ରଧାନମନ୍ତ୍ରୀ ଆଶ୍ବାସନା ଦେଇଥିବା ବେଳେ ଏବେ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସିଇଓ ଆଦର ପୁନାଓ୍ବାଲାଙ୍କ ଆସିଛି ବଡ ବୟାନ। କହିଛନ୍ତି, ଜାନୁଆରୀରୁ ଦେଶରେ ଟିକାକରଣ ଆରମ୍ଭ ହୋଇପାରେ । ଅକ୍ଟୋବର ସୁଦ୍ଧା ସବୁ କିଛି ସ୍ବାଭାବିକ ହୋଇଯିବ। ଅର୍ଥାତ ୧୦ ମାସ ଭିତରେ ସମସ୍ତଙ୍କୁ ଦିଆଯିବ ଟିକା। ଏ ମାସ ଶେଷ ସୁଦ୍ଧା ଜରୁରୀ ବ୍ୟବହାର ଲାଗି କୋଭିସିଲ୍ଡ କୁ ଅନୁମତି ମିଳିବା ନେଇ ସେରମ୍ ଇନଷ୍ଟିଚ୍ୟୁଟ ମୁଖ୍ୟ ଦୃଢ ଆଶାବାଦୀ। କୋଭିସିଲ୍ଡର ଏବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିବା ବେଳେ କମ୍ପାନୀ ଜରୁରୀ ବ୍ୟବହାର ପାଇଁ ଆବେଦନ କରିଛି ।ଟିକା ପ୍ରସ୍ତୁତି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଥିବା ବେଳେ ଟିକାକରଣ ପାଇଁ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାର।  କାହାକୁ ଆଗ ଟିକା ଦିଆଯିବ, ଟିକାକରଣ କେନ୍ଦ୍ରରେ କେତେ କର୍ମଚାରୀ ନିୟୋଜିତ ହେବେ, କେତେ ଜଣକୁ ଦୈନିକ ଟିକା ଦିଆଯାଇ ପାରିବ। କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ଟିକାକରଣ ସଂଚାଳନ ପ୍ରକ୍ରିୟା ନେଇ ନିର୍ଦ୍ଦେଶାବଳୀ ପ୍ରଦାନ କରିଛନ୍ତି। କିନ୍ତୁ ସାଧାରଣ ଲୋକଙ୍କ ମନରେ ଏକାଧିକ ପ୍ରଶ୍ନ- ଟିକା ମାଗଣାରେ ମିଳିବ ନା ଟିକା ବାବଦରେ ଲୋକଙ୍କୁ ଟଙ୍କା ଦେବାକୁ ପଡ଼ିବ। ଏହା ସହିତ ଟିକା ସଂପୂର୍ଣ୍ଣ ସୁରକ୍ଷିତ ହେବ କି ନାହିଁ  ଏ ସନ୍ଦେହ ବି ତୁହାକୁ ତୁହା ଉଙ୍କି ମାରୁଛି।  ଏହାରି ମଧ୍ୟରେ ମାଗଣା ଟିକା ଦେବାକୁ ଗୋଟିଏ ପରେ ଗୋଟିଏ ରାଜ୍ୟ ଏବେ ଲୋକଙ୍କୁ ପ୍ରତିଶୃତି ଦେବାରେ ଲାଗିଛନ୍ତି । କେରଳ ସମେତ ୫ ରାଜ୍ୟ ମାଗଣା ଟିକା ଦେବାକୁ ଘୋଷଣା କରିସାରିଲେଣି।

Spread the love