ଦେଶବ୍ୟାପୀ ଦିଲ୍ଲୀ ଚଲୋ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଭୁବନେଶ୍ୱର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଧାରଣା

ଭୁବନେଶ୍ୱର,  ୧୪/୧୨: କୃଷି ଓ କୃଷକ ସର୍ବନାଶକାରୀ ତଥା କୃଷି ଧ୍ବଂସକାରୀ ୩ଟି କୃଷି ଆଇନ୍ ଓ ଜନବିରୋଧୀ ବିଦ୍ୟୁତ୍ ଆଇନ୍ -୨୦୨୦ ଅବିଳମ୍ବେ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ତଥା ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ଆହ୍ୱାନରେ ଦେଶବ୍ୟାପୀ ଜିଲ୍ଲାପାଳ ମାନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଧାରଣା ଅବସରରେ ଆଜି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏକ ଗଣ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି ।

ଏହି ପରିପ୍ରେକ୍ଷୀରେ କୃଷକର ସର୍ବନାଶକାରୀ-କୃଷି ଧ୍ବଂସ କାରୀ ଏବଂ କର୍ପୋରେଟ ଲୁଟ ପାଇଁ ଉଦ୍ଦିଷ୍ଟ ପ୍ରାଇଭେଟ ମଣ୍ଡି ଆଇନ ରଦ୍ଦ କରିବା, କୃଷକ ସର୍ବନାଶକାରୀ-କୃଷି ଧ୍ବଂସ କାରୀ ଏବଂ କର୍ପୋରେଟ ପାଇଁ ଜମି ହଡପ କରିବା ଉଦ୍ଦେଶ୍ୟରେ କଣ୍ଟ୍ରାକ୍ଟ ଫାର୍ମିଙ୍ଗ୍ ଆଇନ ରଦ୍ଦ କରିବା,
କୃଷକ ବିରୋଧୀ-ଜନ ବିରୋଧୀ ଅତ୍ୟାବଶ୍ୟକୀୟ
ସାମଗ୍ରୀ ସଂଶୋଧନ ଆଇନ ରଦ୍ଦ କରିବା, କୃଷକ ବିରୋଧୀ-ଜନ ବିରୋଧୀ ବିଦ୍ୟୁତ ସଂଶୋଧନ ବିଲ-2020 ପ୍ରତ୍ୟାହାର କରିବା, କଳାବଜାରୀ -ମହଜୁଦକାରୀ ଙ୍କ ଲୁଣ୍ଠନ ପାଇଁ ଉଦ୍ଦିଷ୍ଟ ଖାଉଟି ବିରୋଧୀ ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ -2020 ରଦ୍ଦ କରିବା ପାଇଁ ଧାରଣାରେ ବସିଥିବା ପ୍ରତିବାଦକାରୀମାନେ ଦାବି କରିଥିଲେ ।। ଐତିହାସିକ କୃଷକ ଆନ୍ଦୋଳନ ଆଜି କେବଳ କୃଷକ ନୁହେଁ, ଶ୍ରମିକ- କର୍ମଚାରୀ, ଛାତ୍ର-ଯୁବକ, ମହିଳା, ଶିକ୍ଷକ, ବୁଦ୍ଧିଜୀବୀ ସମସ୍ତଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିପାରିଛି ଏବଂ କୃଷକ ମାନଙ୍କ ନ୍ୟାୟ ସଙ୍ଗତ ଦାବିକୁ ସରକାର ନମାନିଲେ ଏହି ଆନ୍ଦୋଳନ କର୍ପୋରେଟ୍ ମୋଦୀ ସରକାରଙ୍କ ମୃତ୍ୟୁ ଘଣ୍ଟି ବଜାଇବ ବୋଲି ଧାରଣାସ୍ଥଳରେ ଆୟୋଜିତ ପ୍ରତିବାଦ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ ।
ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତିର ଆବାହକ ମଣ୍ଡଳୀ ସଦସ୍ୟ ସୁରେଶ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ଏହି ପ୍ରତିବାଦ ସଭାରେ ଏ.ଆଇ.କେ.ଏସ୍ ର ରାଜ୍ୟ ନେତା କ୍ଷୀରୋଦ ସିଂହଦେଓ, ଅଗ୍ରଗାମୀ କିଶାନ୍ ସଭାର ରାଜ୍ୟ ଉପଦେଷ୍ଟା ଜ୍ୟୋତି ରଞ୍ଜନ ମହାପାତ୍ର, କିଶାନ୍ ମହାସଭାର ଉପଦେଷ୍ଟା ମହେନ୍ଦ୍ର ପରିଡା, ଓଡିଶା କୃଷକ ସଭାର ଜଗନ୍ନାଥ ମିଶ୍ର, ଏଆଇକେକେଏମଏସ୍ ପକ୍ଷରୁ ସନ୍ତୋଷ ରଥ, କ୍ରାନ୍ତିକାରୀ କିଶାନ୍ ସଭାର ରାକେଶ୍ କାନୁନଗୋ, ଚାଷୀ ମୂଲିଆ ସଂଘର ଦାଶରଥି ବେହେରା, ଇନସାଫ୍ ର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, କିଷାନ୍ କଂଗ୍ରେସର ଅମୀୟ ପଟ୍ଟନାୟକ, ସମାଜବାଦୀ କିଶାନ୍ ସଭାର ସୁଦର୍ଶନ ପ୍ରଧାନ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।


ସେହିପରି ବିଭିନ୍ନ ଟ୍ରେଡ଼ ୟୁନିୟନ ପକ୍ଷରୁ କୃଷକ ମାନଙ୍କର ଐତିହାସିକ ସଂଘର୍ଷ କୁ ସଂହତି ଜଣାଇ ସର୍ବଶ୍ରୀ ବିଷ୍ଣୁ ମହାନ୍ତି(ସିଟୁ), ରାମକୃଷ୍ଣ ପଣ୍ଡା(ଏଆଇଟିୟୁସି), ପୂର୍ଣ୍ଣଚନ୍ଦ୍ର ବେହେରା(ୟୁଟିୟୁସି), ଶିବରାମ(ଟିୟୁସିଆଇ), ରାଧାକାନ୍ତ ସେଠୀ (ଏଆଇସିସିଟିୟୁ), ନାରାୟଣ ଡାଳୁଆ(ଟିୟୁସିସି), ନାରୀନେତ୍ରୀ ମିନତୀ ପାଣିଗ୍ରାହୀ, ପ୍ରମିଳା ବେହେରା, ବାମପନ୍ଥୀ ନେତା ବିଜୟ ମହାନ୍ତି, ପ୍ରଦୀପ୍ତ ନାୟକ ପ୍ରମୁଖ ଉଦବୋଧନ ଦେଇଥିଲେ ।
ଶେଷରେ ଓଡ଼ିଶାରେ ବିଭିନ୍ନ କୃଷକ ଓ ଶ୍ରମିକ ସଂଗଠନ ମାନଙ୍କ ମିଳିତ ଉଦ୍ୟମରେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଘୋଷଣା କରାଯାଇଥିଲା ଏବଂ ଯେତେଦିନ ପର୍ଯ୍ୟନ୍ତ କୃଷି ଓ କୃଷକ ବିରୋଧୀ ଆଇନ୍ ସଂପୂର୍ଣ୍ଣ ପ୍ରତ୍ୟାହାର କରାନଯାଇଛି, ସେ ପର୍ଯ୍ୟନ୍ତ ଧାରଣା, ସଭା, ଶୋଭାଯାତ୍ରା ମାଧ୍ୟମରେ କୃଷକ ମାନଙ୍କର ସଂଘର୍ଷ ପ୍ରତି ସଂହତି ଜ୍ଞାପନ କରାଯିବ ବୋଲି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ଘୋଷଣା କରିଛି ।

Spread the love