କ୍ଷମତା ଓ ପ୍ରଶଂସା ପାଗଳ ସରକାର ରାଜ୍ୟବାସୀଙ୍କ ସହ ପ୍ରତାରଣ କରିଛନ୍ତି :ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର,୨୩/୧୨: ଦୀର୍ଘ ୨୧ ବର୍ଷ ଧରି ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଶାସନ ଚାଲିଛି । ସାଧାରଣ ଲୋକଙ୍କର ଜନଜୀବନ ସୁରକ୍ଷା ଯୋଗାଇ ଦେବା ସରକାରଙ୍କର ନୈତିକ ଦାୟୀତ୍ୱ ଥାଏ । କିନ୍ତୁ କ୍ଷମତା ଓପ୍ରଶଂସା ପାଗଳ ସରକାର ରାଜ୍ୟବାସୀଙ୍କ ସହ ପ୍ରତାରଣ କରିଛନ୍ତି । ଗତ ୨୦୧୯ ମସିହାରେ ୨୭ ଲକ୍ଷ ଗ୍ରାମୀଣ ଲୋକଙ୍କ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ରାଜ୍ୟ ସରକାର ବିଧାନସଭାରେ କହିଥିଲେ । ଏହି ଯୋଜନାରେ ୭ ଲକ୍ଷରୁ ଉର୍ଦ୍ଧ୍ୱ ଅଯୋଗ୍ୟ ହିତାଧିକାରୀ ଏବଂ ଦଳୀୟ କର୍ମୀଙ୍କୁ ଘର ଦିଆଯାଇଥିଲା । ଏହା ବିରୁଦ୍ଧରେ ରାଜ୍ୟ ବିଜେପି କେନ୍ଦ୍ର ପଂଚାୟତରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଅବଗତ କରାଇବା ପରେ ରାଜ୍ୟସରକାରଙ୍କୁ ସାଧାରଣ ଜନତା କାଠଗଡାରେ ଛିଡା କରାଇଥିଲେ । ରାଜ୍ୟସରକାର ଫେବୃଆରୀ ୭ ତାରିଖରେ ଆଉଥରେ ହିତାଧିକାରୀ ଚୟନ ପାଇଁ ନିର୍ଦ୍ଦେଶ ଦେଲେ ଏବଂ ପ୍ରତି ବ୍ଲକ ଅଫିସରେ ସାନି ଆବେଦନ କରିବା ପାଇଁ ଏକ ବାକ୍ସ ରଖାଗଲା । ୨୫ ଫେବୃଆରୀ ସୁଦ୍ଧା ପ୍ରତ୍ୟେକ ଗ୍ରାମ ପଂଚାୟତରେ ହିତାଧିକାରୀ ଚୟନ ତାଲିକା ମାରିବା ନେଇ ଚିଠିରେ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ଆବେଦନ ପତ୍ରକୁ ଫେବୃଆରୀ ମାସରୁ ଏଯାବତ୍ ବ୍ଲକ ଗୁଡିକରେ ଥିବାବାକ୍ସ ଭିତରୁ ବାହାର କରାଯାଇନାହିଁ । ରାଜ୍ୟସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ୫-ଟି ରେ ସାମିଲ କରାଇଛନ୍ତି । ଏହା କ’ଣ ୫-ଟି ରକାର୍ଯ୍ୟନ୍ୱୟନ ୧୦ ମାସ ପରେ ହିତାଧିକାରୀ ତାଲିକାକୁ ରାଜ୍ୟସରକାର ଗ୍ରହଣ କରିନଥିବାରୁ ସ୍ପଷ୍ଟ ଜଣାପଡୁଛି କି, ଗରିବ ଲୋକ ଘର ଖଣ୍ଡେପାଉ ବୋଲି ରାଜ୍ୟସରକାର ଚାହୁଁ ନାହାଁନ୍ତି । ଏବେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଆବାସ ସଂପର୍କିତ ଚିଠି ଲେଖି କେବଳ ଡ୍ରାମା କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ର ସରକାରଙ୍କର ଏକ ବହୁମୁଖୀ ଯୋଜନା । ଏହି ଯୋଜନାରେ ବ୍ୟାପକ ଅର୍ଥ କେନ୍ଦ୍ରସରକାର ରାଜ୍ୟକୁ ପଠାଉଛନ୍ତି । କିନ୍ତୁ ଏଠି ରାଜ୍ୟସରକାର ଗୁମାସ୍ତା ପରି କେନ୍ଦ୍ରୀୟ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବା ପରିବର୍ତେ ମାଲିକ ସାଜି ନେମ୍ ପ୍ଲେଟ ଲଗାଇ ବାହା ବାହା ନେବାର ଅପଚେଷ୍ଟା କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ହେଲେ ୨୦ ହଜାର ଲାଂଚ ନେଉଥିବା ସରକାରୀ ଅଧିକାରୀ
ଏବଂ ଶାସକ ଦଳର ନେତାମାନେ ଏବେ ଚଂଚକତା କରି ଶ୍ରୀ ୪୨୦ ର କାମ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଧାନମନ୍ତ୍ରୀଙ୍କ ବହୁ ଅଭିଳାଷିତ ଯୋଜନା । ଦେଶର ଜନତାଙ୍କୁ ପକ୍କା ଘର, ଶୌଚାଳୟ, ବିଜୁଳୀ ଯୋଗାଣ, ସ୍ୱଚ୍ଛ ଇନ୍ଧନ, ପାଇପ ଯୋଗେ ପାନୀୟ ଜଳ, ଖାଦ୍ୟ ସୁରକ୍ଷା ଯୋଜନା ଆଦି ସୁବିଧା ଯୋଗାଇବା ନେଇ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ
ଘୋଷଣା କରିଥିଲେ । କିନ୍ତୁ ରାଜ୍ୟସରକାର ଏଠି କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ପାଇଁ ଷଡଯନ୍ତ୍ର ଚଲାଇଛନ୍ତି । ପୂର୍ବରୁ ୧୦୮ ଆମ୍ବୁଲାନ୍ସକୁ ନିଜ ଯୋଜନା କହି ବ୍ରାଣ୍ଡିଂ କରିଥିଲେ ରାଜ୍ୟସରକାର । ଆଉ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜାନାର ଫଳକରେ ପ୍ର.ଆ.ଯୋ ଲେଖି ଷ୍ଟିକର ମାରୁଛନ୍ତି ଏବଂ ତଳେ ବିଜୁ ବାବୁଙ୍କ ଫଟୋ ସହ ବିଜୁ ପକ୍କା ଘର ଯୋଜନା ଲେଖାଯାଉଛି । ୨୦୧୪ ପୂର୍ବରୁ ଥିବା ଇନ୍ଦିରା ଆବାସ ଯୋଜନାକୁ ଇ.ଆ.ଯୋ ଲେଖି ବିଜୁ ବାବୁଙ୍କ ଫଟୋ ଷ୍ଟିକରିଂ କରାଯାଉଛି । ନବୀନ ବାବୁ ଏବେ କେନ୍ଦ୍ରୀୟ ଯୋଜନାକୁ ଚଂଚକତା କରି ହଡପ କରିବା ପରେ
ଚିଠି ଲେଖି ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ହୋଇଗଲା ବୋଲି ହିତାଧିକାରୀଙ୍କ ପାଖକୁ ପଠାଇବା ଦୁର୍ଭାଗ୍ୟଜନକ । ଓଡିଶାର ମୁଖ୍ୟମନ୍ତ୍ରୀ ରାଜ୍ୟରେ ବିକାଶ ନୁହେଁ ବରଂ କେବଳ ଚିଠି ଲେଖିବାରେ ପିଏଚଡି କରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ ଆକ୍ଷେପ କରି କହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୭-୧୮ରେ କେନ୍ଦ୍ର ସରକାର ୬୨୧୮ କୋଟି ଟଙ୍କା ଦେଇଥିବାବେଳେ ବିଜୁ ପକ୍କା ଘର ଯୋଜନାରେ ମାତ୍ର ୬୬୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଯାହାକି ମାତ୍ର ୧୦ ପ୍ରତିଶତ ଥିଲା । ୨୦୧୮-୧୯ରେ କେନ୍ଦ୍ର ସରକାର ୪୯୨୫ କୋଟି ଦେଇଥିବାବେଳେ ରାଜ୍ୟ ସରକାର ୮୩୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ଯାହାକି ମାତ୍ର ୧୫ ପ୍ରତିଶତ । ୨୦୧୯-୨୦ରେ କେନ୍ଦ୍ର ସରକାର ୨୭୬୫ କୋଟି ଟଙ୍କା ଅନୁଦାନ ପଠାଇଥିବା ସମୟରେ ରାଜ୍ୟସରକାର ୨୦୮ କୋଟି ଯାହା ମାତ୍ର ୭ ପ୍ରତିଶତ । କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡପ କରିବାର ଷଡଯନ୍ତ୍ରକୁ କେବେ ବି ଓଡିଶାର ସାଧାରଣ ଲୋକ ବରଦାସ୍ତ କରିବେ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଘର ନିର୍ମାଣ ହୋଇଥିବା ସମସ୍ତ ଗରିବ ଲୋକଙ୍କର ସୂଚନା ସଂଗ୍ରହ କରାଯାଉଛି । ଏହି ଫର୍ମରେ ଘର ଠିକଣା ଠୁ ଆରମ୍ଭ କରି ବ୍ୟାଙ୍କ ଆକାଉଂଟ ନମ୍ବର , ଆଇଏଫଏସସି କୋର୍ଡ ଇତ୍ୟାଦି ତଥ୍ୟ ସଂଗ୍ରହ କରାଯାଇ କୁହାଯାଉଛି ଯେ, ପଂଚାୟତ ନିର୍ବାଚନ ପୂର୍ବରୁ ତୁମ ଘର ମରାମତି ପାଇଁ ନବୀନ ବାବୁ ୧୦ ହଜାର ଟଙ୍କା ପଠାଇବେ । ଏନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ । ଠକାମୀ, ଚଂଚକତା ଏବଂ ୪୨୦ କାମ ଚାର୍ଲସ ଶୋଭରାଜ କଲେ ଶୋଭାପାଏ । କିନ୍ତୁ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାର ଏହା କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ହରିଚନ୍ଦନ
କହିଛନ୍ତି । ରାଜ୍ୟ ସରକାର କ୍ଷମତା ପାଗଳାମି ଓ ଚଂଚକତା ଛାଡି କେମିତି ଗରିବ ଲୋକଟିଏ ପକ୍କା ଘର ଖଣ୍ଡେ ପାଇବ ସେ ନେଇ ବ୍ୟବସ୍ଥା କରନ୍ତୁ । ଏହାର ବ୍ୟତିକ୍ରମ ଦେଖାଦେଲେ ବିଜେପି ପକ୍ଷରୁ ବ୍ୟାପକ ଆନ୍ଦୋଳନ ହେବ । ଗୋଟିଏ ଗରିବ ଯୋଗ୍ୟ ହିତାଧିକାରୀକୁ ପକ୍କା ଘର ନମିଳିବା ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବ । ରାଜ୍ୟସରକାର ତୁରନ୍ତ ଯୋଜନା ଚୋରି ଓ ଷ୍ଟିକରିଂ ବନ୍ଦ କରି ନିଜର ବ୍ରାଣ୍ଡିଙ୍ଗ କରିବା ଛାଡନ୍ତୁ । ଗତ ୧୦ ମାସ ଭିତରେ ଗରିବ ଲୋକଙ୍କୁ ପକ୍କା ଘର ମିଳିବା ପାଇଁ କୌଣସି ବ୍ୟବସ୍ଥା ନହେବା ପ୍ରତିବାଦରେ ଆସନ୍ତା ୨୮ ତାରିଖରେ ରାଜ୍ୟର
ସମସ୍ତ ବ୍ଲକ ଅଫିସ ଆଗରେ ବିଜେପି କାର୍ଯ୍ୟକର୍ତାଙ୍କ ସମେତ ସାଧାରଣ ଲୋକ ମୁଖ୍ୟମନ୍ତ୍ରୀଙ୍କ ଚିଠି ଫାଡିବେ ଏବଂ ପୋଡିବେ । ଆସନ୍ତା ୨୯ ତାରିଖରେ ରାଜ୍ୟର ସମସ୍ତ ଥାନାରେ ସିଆରପିସି ସେକସନ ୪୨୦ ଧାରାରେ ସରକାରଙ୍କ ନାଁରେ ଏତଲା ଦିଆଯିବ । ୨୦୨୨ ସୁଦ୍ଧା ଓଡିଶାର ପ୍ରତିଟି ଯୋଗ୍ୟ ହିତାଧିକାରୀକୁ ପକ୍କା ଘର ଯୋଗାଇବାର ଲକ୍ଷ୍ୟ ଦିଗରେ ବିଜେପି କାର୍ଯ୍ୟ କରିବ । ହିତାଧିକାରୀଙ୍କୁ ଘର ନମିିଳିବା ପର୍ଯ୍ୟନ୍ତ ଷ୍ଟିକର
ମରା ବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ବ୍ୟାଙ୍କ ଆକାଉଂଟ ସୂଚନା ସଂଗ୍ରାହକ ଲୋକମାନଙ୍କୁ ଗାଁରେ ପୂରାଇ ନଦେବାକୁ ଦଳତରଫରୁ ଶ୍ରୀ ହରିଚନ୍ଦନ ଆହ୍ୱାନ ଦେଇଛନ୍ତି ।

Spread the love