ସୁରେଶ ଚନ୍ଦ୍ର ମହାପାତ୍ର ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ

ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ବୋଲି ଜଣାଯାଇଛି। ସେ ମୁଖ୍ୟ ଶାସନ ସଚିବ ବ୍ୟତୀତ ମୁଖ୍ୟ ଉନ୍ନୟନ କମିସନର ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୧୯୮୬ ବ୍ୟାଚର ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା, ତାହା ଆଜି ସରକାରୀ ଘୋଷଣା ପରେ ସ୍ପଷ୍ଟ ହୋଇଛି । ସେ ୧୪ ମାସ ଲାଗି କାର୍ଯ୍ୟ କରିବେ ବୋଲି ଜଣାଯାଇଛି। ପୂର୍ବରୁ ସେ ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ଦାୟିତ୍ବ ନିର୍ବାହ କରିବା ସହ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ସୁଚାରୁ ରୂପେ ଦାୟିତ୍ବ ତୁଲାଇଥିଲେ। ଜଣେ ଦକ୍ଷ ପ୍ରଶାସକ ଭାବେ ଶ୍ରୀ ମହାପାତ୍ରଙ୍କର ଖ୍ୟାତି ଥିବା ବେଳେ ରାଜ୍ୟ ସରକାରଙ୍କର କୋଭିଡ୍ ପରିଚାଳନା ରଣନୀତି ନିର୍ଦ୍ଧାରଣ ଏବଂ ଏହାର କାର୍ଯ୍ୟାନ୍ବୟନରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
ଅପରପକ୍ଷରେ ଏବେକାର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ଏହାଛଡ଼ା ସେ ମୁଖ୍ୟମନ୍ତ୍ରୀଙ୍କ ଆଞ୍ଚଳିକ ଉନ୍ନୟନ, ପର୍ଯ୍ୟଟନ, କୃଷି, ବାଣିଜ୍ୟ ଓ ଶିଳ୍ପ ଆଦି ବିଭାଗର ପ୍ରଧାନ ଉପଦେଷ୍ଟା ଭାବେ ବି ଦାୟିତ୍ବ ତୁଲାଇବେ। ସୂଚନାଯୋଗ୍ୟ, ୨୦୧୯ ମସିହା ୧୫ ଅଗଷ୍ଟ ତାରିଖରେ ଅସିତ ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ଅବସ୍ଥାପିତ କରାଯାଇଥିଲା। ଡିସେମ୍ବର ୩୧ ତାରିଖରେ ସେ ଅବସର ଗ୍ରହଣ କରିବେ।
ଏଣେ ୧୯୮୯ ବ୍ୟାଚର ଆଇଏଏସ୍ ଅଧିକାରୀ ପ୍ରଦୀପ କୁମାର ଜେନାଙ୍କୁ ରାଜ୍ୟର ନୂତନ ଉନ୍ନୟନ କମିସନର ଭାବେ ନିଯୁକ୍ତି ଦିଆଯାଇଛି | ଏହାଛଡ଼ା ସେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମଧ୍ୟ ତୁଲାଇବେ ।

Spread the love