ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ସୋର ବିଜେପିର ପଦଯାତ୍ରା

ସୋର, ୨୬/୧୨: ସୋର,ଏନ୍ଏନ୍ଏସ୍: ନୟାଗଡ ଜିଲ୍ଲା ପରୀ ହତ୍ୟା ମାମଲାରେ ସୋର ବିଜେପି ପକ୍ଷରୁ ସିବିଆଇ ତଦନ୍ତ ଦାବି ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରାଯାଇଛି। ଏନେଇ ଆଜି ସୋର ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ରାକେଶ ମଲ୍ଲିକଙ୍କ ନେତୃତ୍ୱରେ ପଦଯାତ୍ରା କରାଯାଇଥିଲା।

ଏଥିରେ ୬ମାସ ପୂର୍ବରୁ ପରୀକୁ ସୁପରିକଳ୍ପିତ ରାଜନୀତି ଅଭିସନ୍ଧି ରଖି ମନ୍ତ୍ରୀ ଅରୁଣ ସାହୁଙ୍କ ଷଡ଼ଯନ୍ତ୍ରରେ ଯୋଜନାବଦ୍ଧ ହତ୍ୟାକରିବା ପରେ, ତାଙ୍କ ପରିବାରର ଏତଲାକୁ ନୟାଗଡ଼ ପୁଲିସ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ହତ୍ୟାର ଉପଯୁକ୍ତ ତଦନ୍ତ ନକରି ଖାମଖିଆଲୀ ଭାବେ ଉପର ଦେଖାଣିଆ ତଦନ୍ତ କରି ସେହି ହତ୍ୟାକାଣ୍ଡକୁ ଚପାଇଦେବାକୁ ବସିଥିଲା। ପରୀ ମା’ବାପାଙ୍କ ବିଧାନସଭା ଆଗରେ ଆତ୍ମାହୁତି ଦେବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ଗଣସଂଗଠନର ଆନ୍ଦୋଳନ ଖବରକୁ ଆଧାର କରି ବିଧାନସଭାରେ ବିରୋଧୀ ଦଳ ହୋ-ହାଲ୍ଲା ଏବଂ ସରକାରଙ୍କୁ ସମାଲୋଚନା କରାଯାଇଥିଲା।

ଏହାପରେ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସଆଇଟି ଟିମକୁ ଏହି ଘଟଣାର ତଦନ୍ତ ଭାର ଦିଆଯାଇଛି। ଏହାକୁ ରାଜ୍ୟ ବିଜେପି ଘୋର ବିରୋଧ କରି ସିବିଆଇ ତଦନ୍ତ ଦାବି କରିବା ଅବସରରେ ସୋର ବିଜେପି ପକ୍ଷରୁ ମଧ୍ୟ ସିବିଆଇ ତଦନ୍ତ ଦାବି କରାଯାଇଛି।

ଏହି ପରିପ୍ରେକ୍ଷୀରେ ସୋର ପୌରପରିଷଦ ଅନ୍ତର୍ଗତ ମୋବାରକପୁର କାଳୀ ମଣ୍ଡପ ଠାରୁ ଶହଶହ ସଂଖ୍ୟାରେ ବିଜେପି କର୍ମୀ ବିଜେପି ନେତା ରାକେଶ ମଲ୍ଲିକଙ୍କ ନେତୃତ୍ୱରେ ପଦ ଯାତ୍ରାରେ ସାମିଲ ହୋଇଥିଲେ। ଏଥିରେ ମହିରି ପାଣି, ଇସ୍ୱର ଚନ୍ଦ୍ର ବେହେରା , ସନ୍ତୋଷ କୁମାର ସାହୁ, ଗଣେଶ ଦାସ, ଗୌରାଙ୍ଗ ପାଣିଗ୍ରାହୀ, ମହିଳା ନେତ୍ରୀ ପୂଜା ତରେଇ, ସରପଞ୍ଚ ସରିତା ମଲ୍ଲିକ, ମନୋରମା ମଲ୍ଲିକ ପ୍ରମୁଖଙ୍କ ସମେତ ଅନେକ ବିଜେପି କର୍ମୀ ସାମିଲ ହୋଇଥିଲେ।

Spread the love