ଆନ୍ଦୋଳନରତ ଚାଷୀଙ୍କ ପାଇଁ ସିଙ୍ଘୁ ସୀମାରେ ୱାଇ-ଫାଇ ଇନଷ୍ଟଲ କରିବେ ଦିଲ୍ଲୀ ସରକାର

ଆନ୍ଦୋଳନରତ ଚାଷୀଙ୍କ ପାଇଁ ସିଙ୍ଘୁ ସୀମାରେ ୱାଇ-ଫାଇ ଇନଷ୍ଟଲ କରିବେ ଦିଲ୍ଲୀ ସରକାର। ଆନ୍ଦୋଳନରେ ବସିଥିବା ଚାଷୀଙ୍କୁ ଇଣ୍ଟରନେଟ ସୁବିଧା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ୱାଇ-ଫାଇ ଇନଷ୍ଟଲ କରିବାର ଯୋଜନା କରୁଥିବା ଜଣାପଡ଼ିଛି। ଆନ୍ଦୋଳନରତ ଚାଷୀଙ୍କୁ ଭେଟିବା ପରେ ଚାଷୀମାନେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲଙ୍କୁ ଇଣ୍ଟରନେଟ ସୁବିଧା ଯୋଗାଇବା ପାଇଁ ଅନୁରୋଧ କରିଥିଲେ। ଏହା ପରେ କେଜ୍ରୱାଲ ସରକାର ସିଙ୍ଘୁ ସୀମାର ବିଭିନ୍ନ ସ୍ଥାନରେ ୱାଇ-ଫାଇ ଇନଷ୍ଟଲ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପ୍ରତ୍ୟେକ ୱାଇଫାଇ ହଟସ୍ପଟ୍ ୧୦୦ମିଟର ବ୍ୟାସାର୍ଦ୍ଧକୁ ଆବୃତ କରିବ ଏବଂ ଏହି ଅଞ୍ଚଳରେ ଇଣ୍ଟରନେଟ୍ ସେବା ଯୋଗାଇବ। ଏହି ଅଞ୍ଚଳରେ କୃଷକମାନେ ସୀମିତ ଇଣ୍ଟରନେଟ୍ ଉପଲବ୍ଧ ଥିବା ଅଭିଯୋଗ କରିବା ପରେ ସିଙ୍ଘୁ ସୀମାରେ ଏକାଧିକ ଇଣ୍ଟରନେଟ୍ ହଟସ୍ପଟ୍ ସ୍ଥାପନ କରିବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଏହା ପୂର୍ବରୁ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଦିଲ୍ଲୀ ସରକାର ଆନ୍ଦୋଳନରତ ଚାଷୀଙ୍କ ପାଇଁ ମୋବାଇଲ ଟଏଲେଟ(ଭ୍ରାମ୍ୟମାଣ ଶୌଚାଳୟ)ର ବ୍ୟବସ୍ଥା କରିଥିଲେ।ଉଲ୍ଲେଖଯୋଗ୍ୟ, ସିଙ୍ଘୁ ସୀମା‌ରେ ଡିସେମ୍ବର ୨୬ରେ ଆୟୋଜିତ ହୋଇଥିବା ବୈଠକରେ ସରକାର ଦେଇଥିବ‌ା ପ୍ରସ୍ତାବ ଉପରେ ଆଲୋଚନା କରି ଡିସେମ୍ବର ୨୯ ଦିନ ୧୧ଟାରେ ବୈଠକ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ କୃଷକ ସଂଗଠନ। ହେଲେ ଗତକାଲି ବୈଠକ ପାଇଁ ଏକ ନୂଆ ତାରିଖ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଡିସେମ୍ବର ୨୯ ପରିବର୍ତ୍ତେ ଡିସେମ୍ବର ୩୦ରେ ବୈଠକ କରିବାକୁ କେନ୍ଦ୍ର ସରକାର କୃଷକ ସଂଗଠନର ମୁଖ୍ୟମାନଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏହା ସହ ଡିସେମ୍ବର ୩୦ ଦିନ ୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ବୈଠକ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

Spread the love