ସାଇବର ଠକ ଜାଲରେ ଯୁବତୀ: ବ୍ୟାଙ୍କ୍‌ ଚାକିରି ମୋହରେ ହରାଇଲେ ୧.୧୩ ଲକ୍ଷ

ଅଭିଯୋଗ ଅନୁସାରେ, ଖଣ୍ଡଗିରି ଅଞ୍ଚଳରେ ରହୁଥିବା ଏହି ଯୁବତୀ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। କିଛି ଦିନ ତଳେ ସେ ଚାକିରି ହରାଇଥିଲେ। ହଠାତ୍ ଦି‌ନେ ସେ ଅନ୍‌ଲାଇନ୍‌ରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଆକାଉଣ୍ଟାଣ୍ଟ ଚାକିରି ପାଇଁ ଦରଖାସ୍ତ ଆହ୍ବାନ କରାଯାଇଥିବା ଦେଖି ଆବେଦନ କରିଥିଲେ। ନଭେମ୍ବର ୧୮ ତାରିଖରେ ସେ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ପରେ ସେହି ମାସ ୨୨ତାରିଖରେ କନ୍‌ସଲ୍‌ଟାନ୍ସି ଫ୍ରେସର୍‌ ଵାର୍ଲଡ୍‌ ନାଁରେ ଏକ ସଂସ୍ଥାରୁ ତାଙ୍କ ପାଖକୁ ଫୋନ୍‌ କଲ୍‌ ଆସିଥିଲା। ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ପୁଣି ଭୁବନେଶ୍ବରରେ ନିଯୁକ୍ତି ପାଇଁ ତାଙ୍କୁ ମନୋନୀତ କରାଯାଇଛି ବୋଲି ଫୋନ୍‌ କରିଥିବା ବ୍ୟକ୍ତି କହିଥିଲା। ଫର୍ମ ବାବଦରେ ୧୮୦୦ ଟଙ୍କା ଦେବାକୁ ପଡ଼ିବ ବୋଲି କହିବା ପରେ ଯୁବତୀ ଜଣକ ଅନ୍‌ଲାଇନ୍‌ରେ ଟଙ୍କା ପଠାଇଥିଲେ। ଏହା ପରେ ସର୍ଭିସ ଚାର୍ଜ, ଇନ୍‌ସ୍ୟୁରାନ୍ସ ଓ ବ୍ୟାଙ୍କରେ ଦରମା ଆକାଉଣ୍ଟ ଖୋଲିବା ପାଇଁ କହି କହି ଠକଜଣକ ତାଙ୍କଠାରୁ ୧ ଲକ୍ଷ ୧୩ ହଜାର ଟଙ୍କା ନେଇଯାଇଥିଲା। ପରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ଲୋଗୋ ଥିବା ଏକ ଜାଲ୍‌ କନ୍‌ଫର୍‌ମେସନ୍‌ ଲେଟର ପଠାଇଥିଲା। ନିଯୁକ୍ତିପତ୍ର ଦେବା ପରେ ଠକ ଯୁବତୀଙ୍କୁ ଆହୁରି କିଛି ଟଙ୍କା ମାଗିଥିଲା। ସେତେବେଳକୁ ଯାଇ ଯୁବତୀଙ୍କ ସନ୍ଦେହ ହେଲା। ତେଣୁ ସେ ଆଉ ଟଙ୍କା ନ ଦେଇ ନିଯୁକ୍ତିପତ୍ର ଉପରେ ଛାନ୍‌ଭିନ୍ କରିଥିଲେ। ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇବା ପରେ ସେ କଟକ ସାଇବର ଥାନା ଓ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।

Spread the love