ଜେଟ ଏୟାରୱେଜର ଅଧ୍ୟକ୍ଷ ପଦ ଛାଡିଲେ ନରେଶ ଗୋଏଲ

ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ନରେଶ ଗୋଏଲ ଜେଟ ଏୟାରୱେଜର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ତାଙ୍କ ପତ୍ନୀ ଅନୀତା ଗୋଏଲ ଓ ଏତିହାଦ ଏୟାରୱେଜର ଜଣେ ପ୍ରତିନିଧି ମଧ୍ୟ ଜେଟ ବୋର୍ଡରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ଜେଟରେ ଗୋଏଲ ପରିବାରର ଅଂଶଧନ 51 ପ୍ରତିଶତରୁ ହ୍ରାସ ପାଇ 25.5 ପ୍ରତିଶତରେ ପହଞ୍ଚିଛି । ଆହୁରିମଧ୍ୟ ଜେଟରେ ଏତିହାଦର ଅଂଶଧନ ମଧ୍ୟ 24 ପ୍ରତିଶତରୁ ହ୍ରାସ ପାଇ 12 ପ୍ରତିଶତରେ ପହଞ୍ଚିଛି ।

ଅନ୍ୟପକ୍ଷରେ କମ୍ପାନିକୁ ଋଣ ଦେଇଥିବା ଷ୍ଟେଟ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କମାନଙ୍କ କନସୋର୍ଟିୟମ ନିଜର ଋଣକୁ ଇକ୍ୱିଟିରେ ପରିବର୍ତ୍ତନ କରିବେ ଓ କମ୍ପାନିରେ ସେମାନଙ୍କ ଅଂଶଧନ 50 ପ୍ରତିଶତରୁ ଅଧିକ ରହିବ । ବ୍ୟାଙ୍କମାନେ ଖୁବଶୀଘ୍ର କମ୍ପାନିକୁ ପ୍ରାୟ 15 ଶହ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ । ଏହା କର୍ମଚାରୀଙ୍କ ବକେୟା ଦରମା ଓ ଅନ୍ୟ ଖର୍ଚ୍ଚ ଭରଣା ପାଇଁ ବ୍ୟୟ ହେବ । ସୂଚନାଯୋଗ୍ୟ ଯେ ଜେଟ ଏୟାରୱେଜର କର୍ମଚାରୀମାନେ ଗତ 3 ମାସ ହେଲା ଦରମା ପାଇନାହାନ୍ତି ।

Spread the love