ଜାତୀୟ ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ପାଇଁବଦ୍ଧପରିକର ପ୍ରଧାନମନ୍ତ୍ରୀ -ଧର୍ମେନ୍ଦ୍ର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଜାତୀୟ ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ପାଇଁ ବଦ୍ଧପରିକର । ଭୁବନେଶ୍ୱରରେ ପୁରାତନ ଗୌରବକୁ ପୁନଃଜୀବିତ କରିବା ଏବଂ ଏହାକୁ ପର୍ଯ୍ୟଟନର ପ୍ରମୁଖ ସ୍ଥଳି ଭାବରେ ବିକଶିତ କରିବା ଦିଗରେ ଆଜିର ପଦକ୍ଷେପ ପ୍ରଶଂସନୀୟ ବୋଲି ଶନିବାର ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପ…ନାୟକ ଭିଡିଓ କନଫରେନ୍ସିଂରେ ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପକୁ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇଣ୍ଡିଆନ ଅଏଲ ପକ୍ଷରୁ ପୁରୁଣା ଭୁବନେଶ୍ୱର ଠାରେ ଆୟୋଜିତ ସ୍ୱତବ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସହ ଜଡ଼ିତ ବିନ୍ଦୁ ସାଗରର ପବିତ୍ର ଜଳକୁ ସ୍ୱଚ୍ଛ ଓ ନିର୍ମଳ କରିବା ପାଇଁ “ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ” ଲୋକାର୍ପିତ ହୋଇଯିବା ସମସ୍ତ ଓଡିଶାବାସୀଙ୍କ ପାଇଁ ଐତିହାସିକ କ୍ଷଣ । ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଖୁବ ଶୀଘ୍ର ବିନ୍ଦୁ ସାଗରର ପବିତ୍ର ପୁଷ୍କରିଣୀ ପରିଷ୍କାର ହେବ । ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି (ଆଇସିଟି) ମୁମ୍ବାଇ, ଭାରତୀୟ ତୈଳ ନିଗମ(ଆଇଓସିଏଲ), ଓଡ଼ିଶା ବ୍ରିଜ୍ କନଷ୍ଟ୍ରକସନ କର୍ପୋରେସନ(ଓବସିସି)ର ମିଳିତ ଉଦ୍ୟମରେ ବିଶେଷ ଜ୍ଞାନ କୌଶଳରେ ବିନ୍ଦୁ ସାଗରରେ ସ୍ୱତବ ଯବପାତି ଲଗାଯାଇଛି । ବିନ୍ଦୁସାଗରର ଚାରିପଟେ ଚାରୋଟି ପମ୍ପିଂ ସିଷ୍ଟମ ଅବସ୍ଥାପିତ ହୋଇଥିବା ବେଳେ ଏହା ପୋଖରୀର ଦୂଷିତ ଜଳକୁ ଛାଣି ସଫା ଜଳ ପୋଖରୀକୁ ଛାଡିବ । ଫଳରେ ଖୁବ୍ ଶୀଘ୍ର ଏକାମ୍ର ତଥା ଭୁବନେଶ୍ୱର ବାସୀଙ୍କ ବିନ୍ଦୁ ସାଗରର ପବିତ୍ର ଜଳ ସ୍ୱଚ୍ଛ ଓ ନିର୍ମଳ ହେବାର ସ୍ୱପ୍ନ ପୂରଣ ହେବ । ଏହି ପ୍ରକଳ୍ପ ପାଇଁ ଇଣ୍ଡିଆନ ଅଏଲ ୭୦ଲକ୍ଷ ଟଙ୍କା ଯୋଗାଇଦେଇଛି । ପବିତ୍ର ଜଳ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୁଷ୍କରିଣୀର ପବିତ୍ରତାର ପ୍ରତୀକ ହେବ । ଏହି ଜଳ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସ୍ନାନ ନୀତିକାନ୍ତି ସମେତ ଆନୁଷାଙ୍ଗିକ କାମରେ ଲାଗିପାରିବ । ଓଡ଼ିଶାରେ ପେଟ୍ରୋକେମିକାଲ, କେମିକାଲ, ପଲିମର, ଟେକ୍ସଟାଇଲ ଏବଂ ଫାଇବର ଶିଳ୍ପର ଦ୍ରୁତ ବିକାଶ ମାଧ୍ୟମରେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟରେ ନୂଆ ଭାରତ ଉଦୟର ଉଦ୍ୟମରେ ଓଡ଼ିଶାକୁ ପୂର୍ବ ଭାରତର ବିକାଶର ପ୍ରୟୋଗଶାଳା କରିବାର ଏକ ନିଷ୍ଠାପର ଏବଂ ଦୂରଦୃଷ୍ଟିସମ୍ପନ୍ନ ଉଦ୍ୟମ ଆରମ୍ଭ କରାଯାଇଛି ।ଏକାଦଶ ଶତାବ୍ଦୀରେ ରାଜଧାନୀ ଭୁବନେଶ୍ୱରର ଏକାମ୍ର କ୍ଷେତ୍ରରେ ଲିଙ୍ଗରାଜ ମନ୍ଦିର ପରି ଏକ ବିଶ୍ୱସ୍ତରୀୟ କୀର୍ତି ସ୍ଥାପିତ ହୋଇଥିଲା । ଆଜି ଏହି ପୁଷ୍କରିଣୀକୁ ପରିଷ୍କାର କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଐତିହାସିକ । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହିମା ଓ ଗୌରବର ଗାଥାକୁ ସାରା ବିଶ୍ୱରେ ପହଁଚାଇବା ଦିଗରେ ବିନ୍ଦୁ ସାଗରର ପବିତ୍ର ଜଳକୁ ସ୍ୱଚ୍ଛ ଓ ନିର୍ମଳ କରିବା ପାଇଁ ଆଉ ଏକ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଭାରତ ସରକାର, ଓଡ଼ିଶା ସରକାର ତଥା ସାମୂହିକ ପ୍ରଚେଷ୍ଟାରେ ଓଡ଼ିଆ ଜାତିକୁ ଉପରକୁ ନେବାର ଆବଶ୍ୟକତା ରହିଥିବା ବେଳେ ଏକବିଂଶ ଶତାବ୍ଦୀରେ ସମୃଦ୍ଧଶାଳୀ ଓଡ଼ିଶା ଗଠନ କରିବା ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ୍ ବୋଲି ସେ କହିଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପ…ନାୟକ ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିବା ବେଳେ ପୁରୁଣା ଭୁବନେଶ୍ୱର ଠାରେ ଆୟୋଜିତ ସ୍ୱତବ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ଅଶୋକ ପଣ୍ଡା, ରାଜ୍ୟସଭା ସାଂସଦ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର, ଭୁବନେଶ୍ୱର ସାଂସଦ  ଅପରାଜିତା ଷଡଙ୍ଗୀ, ଇଣ୍ଡିଆନ ଅଏଲର ଚେୟାରମ୍ୟାନ ଏସ.ଏମ ବୈଦ୍ୟ, ଆଇସିଟି ମୁମ୍ବାଇର କୁଳପତି ଅନିରୁଦ୍ଧ ବାଲଚନ୍ଦ୍ର ପଣ୍ଡିତ, ଇଣ୍ଡିଆନ ଅଏଲର ଏଚ୍‌.ଆର ନିର୍ଦ୍ଦେଶକ ରଞ୍ଜନ ମହାପାତ୍ର, ଆଇସିଟି-ଆଇଓସିର ନିର୍ଦ୍ଦେଶକ ବି.ଏନ ଥୋରାଟ,ଓବିସିସିର ପରିଚାଳନା ନିର୍ଦ୍ଦେଶକ ଦାସ ଓ ଇଣ୍ଡିଆନ ଅଏଲ, ଆଇସିଟି, ଓବିସିସିର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Spread the love