ଏଣିକି ୨ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଗହଣା କିଣିଲେ ଦେବାକୁ ହେବ କେୱାଇସି

ରାଜସ୍ବ ବିଭାଗ ପକ୍ଷରୁ ଏକ ବଡ଼ ନି‌ଷ୍ପତ୍ତି ‌ନିଆଯାଇଛି। ଏଣିକି ୨ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ସୁନା, ରୁପା, ମୂଲ୍ୟବାନ ଧାତୁ କିମ୍ବା ପଥରର ଗହଣା କିଣିଲେ ଦେବାକୁ ପଡ଼ିବ କେୱାସି। ରାଜସ୍ବ ବିଭାଗ ଓ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। ତେବେ, ୨ ଲକ୍ଷ ଟଙ୍କାରୁ କମ୍‌ ଟଙ୍କାର ଗହଣା କିଣିଲେ ପର୍ମାନେଣ୍ଟ୍‌ ଆକାଉଣ୍ଟ୍‌ ନମ୍ବର (ପ୍ୟାନ୍‌) କିମ୍ବା ଆଧାର ନମ୍ବର ଦେବାକୁ ପଡ଼ିବ ନାହିଁ। ୨୦୨୦ ମସିହା ଡିସେମ୍ବର ୨୮ ତାରିଖରେ ୨୦୦୨ ମସିହା ପିଏମ୍‌ଏଲ୍‌ ଆକ୍ଟ ଅଧୀନରେ ଏହି ନୋଟିଫିକେସନ୍‌ ଜାରି କରାଯାଇଛି।

ବଡ଼ ଧରଣର ଆର୍ଥିକ କାରବାର ଉପରେ ନଜର ରଖିବା ପାଇଁ ଫାଇନାନ୍‌ସିଆଲ୍‌ ଆକ୍ସନ ଟାସ୍କ ଫୋର୍ସ(ଏଫ୍‌ଏଟିଏଫ୍‌) ଏହି ନିୟମ ଜାରି କରିଥିବା ଜାଣିବାକୁ ମିଳିଛି। ଆତଙ୍କବାଦୀ ପାଣ୍ଠି ତଥା ମନି ଲଣ୍ଡରିଂ ଉପରେ ବେଆଇନ କାରବାରରେ ରୋକ ଲଗାଇବା ପାଇଁ ଦେଶର ଏହି ସରକାରୀ ସଂସ୍ଥା ଏପରି ମାନଦଣ୍ଡ ସ୍ଥିର କରିଥିବା ସୂଚନା ରହିଛି।

ଜାଣିରଖନ୍ତୁ ଯେ କେ‌ତେକ ଗଣମାଧ୍ୟମରେ ପ୍ରକାଶ ପାଉଛି ଯେ ୨ ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ସୁନା, ରୁପା, ମୂଲ୍ୟବାନ ଧାତୁର ଗହଣା କିଣିଲେ କେୱାସି ଦେବାକୁ ପଡ଼ିବ। ମାତ୍ର ଏହା ଏକ ଭିତ୍ତିହୀନ କଥା ବୋଲି ରିପୋର୍ଟରୁ ଜାଣିବାକୁ ମିଳିଛି।

୧୯୬୧ ଆୟକର ବିଭାଗ ଅଧିନିୟମର ୨୬୯ଏସ୍‌ଟି ଧାରା ଅନୁଯାୟୀ ଯେହେତୁ ଭାରତରେ ୨ ଲକ୍ଷରୁ ଅଧିକ ନଗଦ ଟଙ୍କା କାରବାର ଅନୁମ‌ୋଦିତ ନୁହେଁ  ତେଣୁ ଡିଲରମାନେ୨ ଲକ୍ଷରୁ ଅଧିକ ନଗଦ ଗ୍ରହଣ କରୁନାହାନ୍ତି।

Spread the love